
ରାଉରକେଲା, (କେପିଏନ୍ଏସ୍) : କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମ୍ଇ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ସହ ବ୍ୟବସାୟର ସମ୍ପ୍ରସାରଣ ଓ ନୂତନ ବିକାଶର ସମ୍ଭାବନା ସୃଷ୍ଟି ଲକ୍ଷ୍ୟରେ ରାଉରକେଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଆରସିସିଆଇ) ପକ୍ଷରୁ ଏକ ଏନ୍ଏସ୍ଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ରାମ୍ପ ଯୋଜନା ଅଧୀନରେ ଚାମ୍ବର ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଳ୍ପପତି, ଉଦ୍ୟୋଗୀ ଓ ବ୍ୟବସାୟୀମାନେ ଯୋଗଦେଇ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବାର ସୁଯୋଗ ଏବଂ ଏହାର ଉପକାରିତା ସମ୍ପର୍କରେ ଅବଗତ ହୋଇଥିଲେ । ଏହି ଅବସରରେ ଆର୍ସିସିଆଇ ସଭାପତି ମଲୟ ମଣ୍ଡଳ, ଏନ୍ଏସ୍ଇ କୋଲକାତାର ପ୍ରତିନିଧି ଅଭିକ୍ ଗୁପ୍ତା, ଜିଲ୍ଲା ଶିଳ୍ପ କେନ୍ଦ୍ରର ଶାଖା ମୁଖ୍ୟ ସ୍ମୃତି ରଞ୍ଜନ ରାଉତରାୟ ଏବଂ ଏମ୍ଏସ୍ଏମ୍ଇର ଶାଖା ମୁଖ୍ୟ ଏସ୍. କେ. ସାହୁ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଆର୍ସିସିଆଇ ସଭାପତି ମଲୟ ମଣ୍ଡଳ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିବା ସହ ଏମ୍ଏସ୍ଏମ୍ଇ ଗୁଡ଼ିକର ବ୍ୟବସାୟିକ ପରିଚାଳନାକୁ ଅଧିକ ସୁଦୃଢ଼ କରିବା, ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ଏବଂ ପୁଞ୍ଜି ସଂଗ୍ରହର ବିକଳ୍ପ ମାଧ୍ୟମ ଖୋଜିବା ଉପରେ ଗୁରୁତ୍ୱ ଦେଇଥିଲେ । ରାଉରକେଲା ସମେତ ପଶ୍ଚିମ ଓଡ଼ିଶାରେ ଶିଳ୍ପ ବିକାଶର ଅପାର ସମ୍ଭାବନା ରହିଥିବା ଉଲ୍ଲେଖ କରି ସରକାରୀ ବିଭାଗ, ଆର୍ଥିକ ସଂସ୍ଥା ଓ ଶିଳ୍ପ ଉଦ୍ୟୋଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଚାମ୍ବର ନିରନ୍ତର ସହଯୋଗ କରିବ ବୋଲି କହିଥିଲେ । ଏନ୍ଏସ୍ଇର କୋଲକାତା ପ୍ରତିନିଧି ଅଭିକ୍ ଗୁପ୍ତା ନିଜ ଅଭିଭାଷଣରେ ଏନ୍ଏସ୍ଇ ଏମର୍ଜ ପ୍ଲାଟଫର୍ମରେ ଏମ୍ଏସ୍ଏମ୍ଇଗୁଡ଼ିକର ତାଲିକାଭୁକ୍ତ ହେବା ପ୍ରକ୍ରିୟା, ଯୋଗ୍ୟତା ମାନଦଣ୍ଡ ଓ ଏହାର ବିଭିନ୍ନ ଲାଭ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ । ଏହି ପ୍ଲାଟଫର୍ମ ଜରିଆରେ ଯୋଗ୍ୟ ଉଦ୍ୟୋଗଗୁଡ଼ିକ ଇକ୍ୱିଟି ମାଧ୍ୟମରେ ପୁଞ୍ଜି ସଂଗ୍ରହ କରିବା ସହ ନୂତନ ନିବେଶକଙ୍କୁ ଆକୃଷ୍ଟ କରିପାରିବେ । ଏଥିସହ ବ୍ୟବସାୟର ବିଶ୍ୱସନୀୟତା ବୃଦ୍ଧି ଓ ଭବିଷ୍ୟତରେ ଶିଳ୍ପର ସମ୍ପ୍ରସାରଣ ପାଇଁ ଏହା ଏକ ଉପଯୋଗୀ ମାଧ୍ୟମ ହୋଇପାରିବ ବୋଲି ସେ ମତ ଦେଇଥିଲେ । ସେହିପରି ଏମ୍ଏସ୍ଏମ୍ଇ ଶାଖା ମୁଖ୍ୟ ଏସ୍. କେ. ସାହୁ ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ସହାୟତା, ଋଣ ସୁବିଧା ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଉପଲବ୍ଧ ସୁଯୋଗ ବିଷୟରେ ଆଲୋକପାତ କରିଥିଲେ । ଶିଳ୍ପ ଜମିର ଉପଲବ୍ଧତା, ମିଳିତ ଶିଳ୍ପ ପ୍ରକଳ୍ପ ଏବଂ ସାଧାରଣ ସୁବିଧା କେନ୍ଦ୍ରର ବିକାଶ ଦ୍ୱାରା ଉଦ୍ୟୋଗଗୁଡ଼ିକ କିପରି ଉପକୃତ ହୋଇପାରିବେ, ସେ ସମ୍ପର୍କରେ ମଧ୍ୟ ବୁଝାଇଥିଲେ । ଏଭଳି ସୁବିଧାର ସଦୁପଯୋଗ କଲେ ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବା ସହ ଶିଳ୍ପର କାର୍ଯ୍ୟଦକ୍ଷତା ଓ ପ୍ରତିଯୋଗିତା କ୍ଷମତା ବୃଦ୍ଧି ପାଇବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଉଦ୍ୟୋଗୀମାନେ ପାରମ୍ପରିକ ବ୍ୟାଙ୍କ ଋଣ ବ୍ୟତୀତ ଷ୍ଟକ୍ ଏକ୍ସଚେଞ୍ଜ ଜରିଆରେ ପୁଞ୍ଜି ସଂଗ୍ରହର ନୂତନ ସମ୍ଭାବନା ସମ୍ପର୍କରେ ଜାଣିବା ସହ ସରକାରୀ ସହାୟତା ଯୋଜନାଗୁଡ଼ିକର ଉପଯୋଗିତା ବିଷୟରେ ମଧ୍ୟ ଜ୍ଞାନ ଆହରଣ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଉଦ୍ୟୋଗୀ ଓ ବ୍ୟବସାୟୀମାନେ ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହା ଆଗାମୀ ଦିନରେ ରାଉରକେଲା ଓ ପଶ୍ଚିମ ଓଡ଼ିଶାର ଏମ୍ଏସ୍ଏମ୍ଇ କ୍ଷେତ୍ରରେ ନୂତନ ଅଭିବୃଦ୍ଧିର ପଥ ଖୋଲିବ ବୋଲି ଆଶା ପ୍ରକାଶ କରିଥିଲେ ।