jayashree

ରାଉରକେଲା ବିମାନ ବନ୍ଦର ପ୍ରସାରଣକୁ ନେଇ ବଢ଼ୁଛି ଅସନ୍ତୋଷ, ବସ୍ତି ବଞ୍ଚାଇ ବିକାଶ ପାଇଁ ଦାବି

  • ସରକାରୀ ସ୍ଥାନରେ ବିମାନ ବନ୍ଦର କରାଯାଉ : ବୈଦ୍ୟନାଥ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ବିମାନ ଚଳାଚଳ ପାଇଁ ପର୍ଯ୍ୟାପ୍ତ ସରକାରୀ ଜାଗା ରହିଛି ଥିବା ବେଳେ ରାଉରକେଲା କାରଖାନାର ବିମାନ ବନ୍ଦର ଓ ତତ୍‌ସଂଲଗ୍ନ ଜାଗା (ପାଖା ପାଖି ୪୦୦ ଏକର)କୁ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆକୁ ହସ୍ତାନ୍ତର କରିବା ପଛରେ ଅନୈତିକ ଓ ସନ୍ଦେହ ଜନକ ବୋଲି ଅଭିଯୋଗ ହୋଇଛି । ରାଉରକେଲାରେ ଥିବା ବିମାନ କ୍ଷେତ୍ର ରାଉରକେଲା କାରଖାନାର ଘରୋଇ ବା ନିଜସ୍ୱ ବିମାନ କ୍ଷେତ୍ର । ୨୦୨୩ ମସିହାରେ ବିଶ୍ୱକପ ହକି ଖେଳର ଆୟୋଜନ ପୂର୍ବରୁ ଉକ୍ତ ବିମାନ କ୍ଷେତ୍ରର ନବୀକରଣ କରାଯାଇ “ଉଡ଼ାନ” ଯୋଜନାରେ ଏଲାଏନ୍ସ ଏୟାରର ଏଟିଆର ୭୨ ଆସନ ବିଶିଷ୍ଟ ବିମାନ ରାଉରକେଲାରୁ ଭୁବନେଶ୍ୱରକୁ ଚଳାଚଳ କରୁଥିଲା । ମାତ୍ର ରାତ୍ରି କାଳୀନ ଅବତରଣ ବ୍ୟବସ୍ଥା ନଥିବାରୁ ଏହା ସମ୍ପ୍ରସାରଣ ହୋଇପାରିଲା ନାହିଁ । ଗତ ଜୁନ୍ ୨୦୨୪ରୁ ଏଟିଆର ୭୨ ବିମାନ ଚଳାଚଳ ହଠାତ୍ ବନ୍ଦ ହୋଇଗଲା, ଯାହାର କାରଣ ଏ ପର୍ଯ୍ୟନ୍ତ ଜଣାନାହିଁ। ଏବେ ଉକ୍ତ ବିମାନ ବନ୍ଦରକୁ ସମ୍ପ୍ରସାରଣ କରି ପୂର୍ଣ୍ଣାଙ୍ଗ ବିମାନ ବନ୍ଦରରେ ପରିଣତ କରିବା ପାଇଁ ବିମାନ କ୍ଷେତ୍ର ସମେତ ପାଖା ପାଖି ୪୦୦ ଏକରରୁ ଅଧିକ ଜମି ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆକୁ ହସ୍ତାନ୍ତର କରିବାର ପ୍ରକ୍ରିୟା ଜାରି ରହିଛି । ଏହା ଫଳରେ ରାଉରକେଲାର ସାଂସ୍କୃତିକ, ସାମାଜିକ, ଆଧ୍ୟାତ୍ମିକ, ରାଜନୈତିକ , ପ୍ରଦର୍ଶନୀ,ଖେଳ, ଅପେରା, ବାହାଘର, ବ୍ରତଘର, ଦୁର୍ଗାପୂଜା ମେଲଣ, ରାବଣ ପୋଡି ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟବହୃତ ପାଇଁ ହେଉଥିବା ୧୩ ନମ୍ବର ସେକ୍ଟର ପଡିଆ, ତା ସହିତ ୧୩୦୦ରୁ ଅଧିକ ବାସଗୃହ, ସ୍କୁଲ, ଧାର୍ମିକ ଅନୁଷ୍ଠାନ, ପୂଜା ସ୍ଥଳୀ, ଜନବସତି ଧ୍ବଂସ ହେବ । ସାଧାରଣ ଜୀବନ ଯାତ୍ରା ଓ ନାଗରିକମାନଙ୍କ ବିଭିନ୍ନ ସୁବିଧା ବ୍ୟବସ୍ଥା ତଥା ଜୀବନ ଜୀବିକା ବିଘ୍ନ ହେବ । ଏଥିପାଇଁ ଦିନକୁ ଦିନ ଜନଅସନ୍ତୋଷ ବଢ଼ିବାରେ ଲାଗିଛି । ରାଉରକେଲା ଭଳି ପ୍ରମୁଖ ଶିଳ୍ପାଞ୍ଚଳରେ ନିୟମିତ ବିମାନ ଚଳାଚଳ ସୁବିଧା ପାଇଁ ପୂର୍ଣ୍ଣାଙ୍ଗ ବିମାନ ବନ୍ଦରର ଆବଶ୍ୟକତା ରହିଛି । ଏହା ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଅର୍ଥନୈତିକ ଓ ଶିଳ୍ପାୟନ କ୍ଷେତ୍ରରେ ରାଉରକେଲା ଓ ଆଖପାଖ ଅଞ୍ଚଳରେ ବିକାଶ ତ୍ୱରାନ୍ୱିତ ହେବ । ମାତ୍ର ସେଥିପାଇଁ ରାଉରକେଲା କାରଖାନା ଅଞ୍ଚଳରେ ଥିବା ଜମିକୁ ଅଧିଗ୍ରହଣ କରି ହଜାର ହଜାର ଲୋକଙ୍କୁ ବିସ୍ଥାପିତ କରିବା, ତାଙ୍କ ବିକାଶ ବନ୍ଦ କରିବା, ଦୀର୍ଘ ଦିନର ପ୍ରତିଷ୍ଠିତ ବ୍ୟବସ୍ଥା ଓ ଗୁଣାବଳୀ ବିପର୍ଯ୍ୟୟ କରି ନାଗରିକ ସୁବିଧା ଓ ଅଧିକାରକୁ ଅଣଦେଖା କରିବା ସଂଗତ ନୁହେଁ । ଏହା ଅନେକ ପ୍ରଶ୍ନ ଓ ସନ୍ଦେହର ଅବତାରଣା କରୁଛି ବୋଲି ହିନ୍ଦ ମଜଦୂର ସଭା ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଭବିଷ୍ୟତରେ ୪୦୦ ଏକରରୁ ଆହୁରି ଅଧିକ ଆବଶ୍ୟକତାକୁ ଏଡ଼ାଇ ଦିଆଯାଇନପାରେ । ଏପରି ସ୍ଥଳେ ସେକ୍ଟର-୧୫ ପରେ ଆହୁରି କେତେବାଟ ଯିବ କିଏ କହିବ ? ଯେଉଁ ବିକାଶ ମୂଳକ କାର୍ଯ୍ୟ ଗୁଡ଼ିକ ସଂଗତ, ସୁସ୍ଥ, ଦୀର୍ଘସ୍ଥାୟୀ ଓ ଜନସ୍ୱାର୍ଥ ଆଧାରିତ ହେବ ଆବଶ୍ୟକ । ଏହା କୌଣସି ପ୍ରକାର ଅନୈତିକ ଓ ଉଦ୍ଦେଶ୍ୟ ପ୍ରଣୋଦିତ ହେବା ଉଚିତ୍ ନୁହେଁ । ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ସାମାଜିକ ସୁରକ୍ଷା, ରାଉରକେଲା ସହରର ସୁସ୍ଥ ଭବିଷ୍ୟତକୁ ଦୃଷ୍ଟିରେ ରଖି (୧) ରାଉରକେଲା ବସ୍ତିର କାରଖାନା ବିମାନ କ୍ଷେତ୍ରରେ ରାତ୍ରି କାଳୀନ ବିମାନ ଅବତରଣ ସୁବିଧା ପାଇଁ ଆଇଏଲଏସ ସ୍ଥାପନ ଏବଂ ଯାତ୍ରୀ ଗମନାଗମନ ସୁବିଧା ପାଇଁ ଆବଶ୍ୟକୀୟ ଉନ୍ନତି କରଣ ବ୍ୟବସ୍ଥା କରି ଆଗରୁ ଚାଲୁଥିବା ଏଟିଆର ୭୨ର ପୁନଃ ପ୍ରଚଳନ ଏବଂ କଲିକତା ଓ ଅନ୍ୟ ସହରକୁ ବିମାନ ସଂଯୋଗର ବ୍ୟବସ୍ଥା କରାଯିବ ଏବଂ ନୂତନ ବିମାନ କ୍ଷେତ୍ର ପାଇଁ ରାଉରକେଲା ଉପକଣ୍ଠରେ ଉପଯୁକ୍ତ ସରକାରୀ ଜମିକୁ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ନିଷ୍ପତ୍ତି ନେବା ପାଇଁ ସାମ୍ବାଦିକ ସମ୍ମିଳନୀ ଜରିଆରେ ହିନ୍ଦୁ ମଜଦୁର ସଭା, ରାଜ୍ୟ ପରିଷଦର ସାଧାରଣ ସମ୍ପାଦକ ବୈଦ୍ୟନାଥ ଦାସ ଦ୍ୱାରା ଦାବି ଉପସ୍ଥାପନ କରିବା ସହ, ରାଉରକେଲା ଜନସାଧାରଣଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ ସମସ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଅନୁଷ୍ଠାନମାନେ ଐକ୍ୟବଦ୍ଧ ସଂଗ୍ରାମ ଜାରି ରଖିବା ପାଇଁ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ହିନ୍ଦ ମଜଦୁର ସଭା ଓଡ଼ିଶା ରାଜ୍ୟ ପରିଷଦର କର୍ମକର୍ତ୍ତା ଶଶଧର ନାୟକ, ପ୍ରମୋଦ କୁମାର ଦାସ, ସିଦ୍ଧେଶ୍ୱର ବଳ, ଇଶ୍ଵର ଭଞ୍ଜ, ଏବଂ ସହବନ୍ଧିତ ସଂଗଠନ ରାଉରକେଲା ମଜଦୁର ସଭା, ଆଇଡିଏମଏସ, ଶିଳ୍ପାଞ୍ଚଳ ଶ୍ରମିକ ସଭା, ରାଉରକେଲା ଠିକା ଶ୍ରମିକ ସଭା ଓ ଜନତା ମଜଦୁର ସଂଘର ପ୍ରଭାକର ଚମ୍ପତିରାୟ, ହେମନ୍ତ କୁମାର ବେଉରା, ଦିଲୀପ କୁମାର ଜେନା, ପ୍ରଫୁଲ୍ଲ କୁମାର ବେହେରା, ପତିତପାବନ ଜେନା ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.