jayashree

ଆକଭାନ୍‌ ପ୍ରଭାବରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଓ ସାମାନ୍ୟ ପବନ, ଅସ୍ତବ୍ୟସ୍ତ ଜନଜୀବନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ବାତ୍ୟା ‘ଆକଭାନ୍‌’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ପାଗରେ ଦେଖାଦେଇଛି ପରିବର୍ତ୍ତନ । ଆକାଶ ମେଘାଚ୍ଛନ୍ନ ରହିବା ସହ ଦିନତମାମ କୋହଲା ପାଗ, ଝିପିଝିପି ବର୍ଷା ଏବଂ ମଝିରେ ମଝିରେ ସାମାନ୍ୟ ପବନ ଜାରି ରହିଛି । ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପରେ ମଧ୍ୟ ବାଧା ଉପୁଜିଛି । ସକାଳୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ରହିଥିବାବେଳେ ସୂର୍ଯ୍ୟଙ୍କ ଦର୍ଶନ ମିଳିନଥିଲା । ମଝିରେ ମଝିରେ ହାଲୁକା ବର୍ଷା ସାଙ୍ଗକୁ ଥଣ୍ଡା ପବନ ବହିବା ଯୋଗୁଁ ପାଗ ଅଧିକ କୋହଲା ହୋଇପଡ଼ିଛି । ଏହି ପାଗ ଯୋଗୁଁ ବଜାରଘାଟରେ ଲୋକଙ୍କ ଚଳପ୍ରଚଳ ଉପରେ ପ୍ରଭାବ ପଡ଼ିଥିବାବେଳେ ଅନେକ ଲୋକ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ବିଶେଷକରି ଦୈନିକ ମଜୁରିଆ, ଉଠାଦୋକାନୀ, ଛୋଟ ବ୍ୟବସାୟୀ ଏବଂ ଗ୍ରାମାଞ୍ଚଳର ଲୋକମାନେ ଏହି ପାଗ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଯୋଗୁଁ ରାସ୍ତାଘାଟ ଓ ବଜାର ଅଞ୍ଚଳରେ ଲୋକଙ୍କ ଯାତାୟାତ ମଧ୍ୟ ପୂର୍ବାପେକ୍ଷା କମିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି । ପାଗରେ ହଠାତ୍ ପରିବର୍ତ୍ତନ ହେବାରୁ ଚାଷୀମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି । ଅମଳ ଉପଯୋଗୀ ଫସଲ ଓ ପନିପରିବା ଚାଷ ଉପରେ ବର୍ଷାର କି ପ୍ରଭାବ ପଡ଼ିବ, ସେନେଇ ଚାଷୀଙ୍କ ମନରେ ଚିନ୍ତା ବଢ଼ିଛି । ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସତର୍କ ସୂଚନା ପ୍ରତି ଧ୍ୟାନ ଦେବା ସହ ଅଯଥାରେ ବାହାରକୁ ନଯିବା ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସଚେତନ ମହଲରେ ମତ ପ୍ରକାଶ ପାଇଛି । ବର୍ତ୍ତମାନ ବାଲିଗୁଡ଼ା ଅଞ୍ଚଳରେ କୋହଲା ପାଗ ଓ ଝିପିଝିପି ବର୍ଷା ଜାରି ରହିଥିବାରୁ ଆଗାମୀ ଦିନରେ ପାଣିପାଗ କି ମୋଡ଼ ନେବ, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.