jayashree

ବାଲ୍ୟ ବିବାହ ନିଷେଧ ଆଇନ -୨୦୦୬ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ତୃଣମୂଳ ସ୍ତରରେ ବାଲ୍ୟବିବାହ ଭଳି ସାମାଜିକ ବ୍ୟାଧିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସଜାଗ ରହିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସଂଯୁକ୍ତା ମହାରଣା ବାଲ୍ୟବିବାହକୁ ଏକ ସାମାଜିକ ବ୍ୟାଧି ଓ କୁସଂସ୍କାର ଏଥିରୁ ନିବୃତ୍ତ କରିବା ପାଇଁ ପ୍ରଶିକ୍ଷାର୍ଥୀ ମାନଙ୍କୁ ବୁଝାଇଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ଏବଂ ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ଜୀବନ ବେହେରା ରିସୋର୍ସ ପର୍ସନ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ର ବିଭିନ୍ନ ଧାରା, ଦଣ୍ଡବିଧାନ ବ୍ୟବସ୍ଥା ଏବଂ ବାଲ୍ୟ ବିବାହ ରୋକିବାରେ ଅଧିକାରୀମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ଦେଇଥିଲେ । ଶିଶୁ ସୁରକ୍ଷା ପରାମର୍ଶଦାତା ୟୁନିସେଫ୍‌ ଓଡ଼ିଶା ଘାସିରାମ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାଲ୍ୟ ବିବାହ କିପରି ରୋକାଯାଇପାରିବ ସେ ବିଷୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ୱାର୍ଡେନ, ମେଟ୍ରନଙ୍କୁ ଅବଗତ କରାଇଥିଲେ । ହବ୍‌ର ଜେଣ୍ଡର ସ୍ପେସିଆଲିଷ୍ଟ ସାମର୍ଥ୍ୟ ନରତ୍ତମ ମହାନ୍ତ ବାଲ୍ୟବିବାହ ମୁକ୍ତ ଭାରତ ପୋର୍ଟାଲ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଆବାସିକ ବିଦ୍ୟାଳୟର ମାଟ୍ରନ୍ ଏବଂ ୱାର୍ଡେନ୍‌ମାନ, ମହିଳା ସଶକ୍ତିକରଣ କେନ୍ଦ୍ର ଜିଲ୍ଲା ସଂଯୋଜକ ସମେତ କର୍ମକର୍ତ୍ତା ଓ ଜିଲ୍ଲା ସଂଯାଜକ ୟୁନିସେଫ୍‌ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ମହାନ୍ତି ପରିଚାଳନା କରିଥିବା ବେଳେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.