jayashree

ମାଣ୍ଡୋସିଲ ଡିଗ୍ରୀ କଲେଜର ଅଧ୍ୟାପକ ବିଜୟ ମେହେରଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଅନ୍ତର୍ଗତ ମାଣ୍ଡୋସିଲ ଡିଗ୍ରୀ କଲେଜର ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ ବିଜୟ କୁମାର ମେହେର (୪୯)ଙ୍କ ଅକାଳ ବିୟୋଗ ଘଟିଛି । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ କଲେଜ ପରିବାର ସମେତ ସମଗ୍ର ଅଞ୍ଚଳ ଓ ଶିକ୍ଷା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ଗତ ରବିବାର ହଠାତ୍‌ ମସ୍ତିଷ୍କରେ ରକ୍ତସ୍ରାବ (ବ୍ରେନ୍‌ ହେମରେଜ୍‌) ହେବାରୁ ତାଙ୍କୁ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ଆଶାନୁରୂପ ସୁଧାର ନ ଆସିବାରୁ ଉନ୍ନତ ଚିକିତ୍ସା ପାଇଁ ରାୟପୁରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିବାରୁ ମଙ୍ଗଳବାର ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସ୍ୱର୍ଗତ ମେହେର ଦୀର୍ଘଦିନ ଧରି ମାଣ୍ଡୋସିଲ ଡିଗ୍ରୀ କଲେଜରେ ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଭାବେ ନିଷ୍ଠା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିଆସୁଥିଲେ । ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ଛାତ୍ରବତ୍ସଳ ଅଧ୍ୟାପକ ଭାବେ ସମସ୍ତଙ୍କ ନିକଟରେ ବେଶ୍‌ ପରିଚିତ ଥିଲେ । ତାଙ୍କ ବିୟୋଗ କଲେଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶିକ୍ଷାବିତ୍‌ମାନେ ମତ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ କଲେଜ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡା, ବରିଷ୍ଠ ଅଧ୍ୟାପକ ନିରାକାର ରାଉତ, କୃଷ୍ଣଚନ୍ଦ୍ର ଦେବତା, ସନ୍ତୋଷ ସିଂ ଠାକୁରଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍‌ମାନେ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ମେହେରଙ୍କ ଘର ବିଜେପୁର ଗ୍ରାମରେ ହୋଇଥିବା ବେଳେ ସେ ନୂଆପଡ଼ାରେ ରହି ପ୍ରତିଦିନ କଲେଜକୁ ଯାତାୟାତ କରୁଥିଲେ । ସେ ଏକ ପୁଅ ଓ ଏକ ଝିଅର ପିତା ଥିଲେ । ତାଙ୍କ ଅକାଳ ବିୟୋଗରେ ପରିବାରବର୍ଗ ଭାଙ୍ଗି ପଡ଼ିଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.