
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସରଗୁଲସ୍ଥିତ ଶିମୁଳିଖୋଲ ଗୁମ୍ଫା ନିକଟରେ ଥିବା ଶ୍ରୀକୃଷ୍ଣ ଗୋଶାଳା ପରିସରରେ ମଙ୍ଗଳବାର ଗୋପାଷ୍ଟମୀ ଉତ୍ସବ ଶ୍ରଦ୍ଧା ଓ ଭକ୍ତିଭାବର ସହ ପାଳିତ ହୋଇଯାଇଛି । ଶ୍ରୀକୃଷ୍ଣ ଗୋଶାଳାର ସଭାପତି ବଜରଙ୍ଗ ଲାଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସେହିପରି ଝାରବନ୍ଧ ତହସିଲଦାର ଅଲେଖ ଘୁଟା, ପଦ୍ମପୁର ଜମିଦାର ସୁରେନ୍ଦ୍ର ପ୍ରତାପ ସିଂ ବରିହା ଗୋଶାଳାର ସଂଯୋଜକ ମାର୍କଣ୍ଡ ପ୍ରଧାନ ଓ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଓମପ୍ରକାଶ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଅତିଥିମାନେ ଗୋମାତାଙ୍କ ପୂଜାର୍ଚ୍ଚନା କରିବା ସହ ଗୋଭୋଜନ କରାଇଥିଲେ । ଗୋସେବା କ୍ଷେତ୍ରରେ ନିଜର ଅବଦାନ ରଖିଥିବା ଗୋସେବକମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଦୁର୍ଗାପ୍ରସାଦ ଅଗ୍ରୱାଲ ସଂଯୋଜନା କରିଥିବା ବେଳେ ପରେ ବିଶିଷ୍ଟ ପ୍ରବଚକ ତ୍ରିଧଣି ସ୍ୱାମୀ ଭିକୁ ମହାରାଜ ଗୋମାତାଙ୍କ ମହତ୍ତ୍ୱ ଓ ଗୋସେବା ସମ୍ପର୍କରେ ଭକ୍ତିମୟ ପ୍ରବଚନ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ପରିଷ ସଭ୍ୟ ସନ୍ତୋଷ କୁମାର ବେହେରା, ନନ୍ଦକିଶୋର ଅଗ୍ରୱାଲ, ରାକେଶ ଅଗ୍ରୱାଲ, କେଶରଞ୍ଜନ ବେହେରା, ହରିହର ସାହୁ, ଲୋକନାଥ ରାଉତଙ୍କ ସମେତ ବହୁ ଶ୍ରଦ୍ଧାଳୁ ଓ ଗୋସେବକ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ ।