
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ ଜିଲ୍ଲା ପ୍ରଶାସନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧତା” ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ଅଧ୍ୟକ୍ଷତା କରିଥିବାବେଳେ, ସମ୍ମାନିତ ଅତିଥି ଭାବେ ଏସ୍ଡିସିର ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷା ଟୁନି ହୁଇକା ଯୋଗଦେଇଥିଲେ । ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣାର ଡ. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବାବେଳେ, ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ସରସ୍ୱତୀ ରାୟ ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଜଳନ୍ଧର ପୁଷିକା ଏବଂ ବରିଷ୍ଠ ନାଗରିକ ସଂଘର ସଭାପତି ବିନୋଦ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲାର ବହୁ ବୁଦ୍ଧିଜୀବୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରି ସ୍ୱାଗତ ଭାଷଣ ପ୍ରଦାନ କରି ମଞ୍ଚାସୀନ ଅତିଥି, ସାମ୍ବାଦିକ ଓ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଜାତୀୟ ପ୍ରେସ୍ ଦିବସର ଗୁରୁତ୍ୱ ଓ ସମାଜ ଗଠନରେ ସାମ୍ବାଦିକ ମାନଙ୍କ ଅବଦାନ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଡ. ଉମେଶ ଚନ୍ଦ୍ର ନିଜ ବକ୍ତବ୍ୟରେ ଚଳିତ ବର୍ଷର ବିଷୟବସ୍ତୁ ଉପରେ ଆଲୋକପାତ କରି କହିଥିଲେ ଯେ, ବର୍ତ୍ତମାନର ଡିଜିଟାଲ ଯୁଗରେ ଖବରର ଲୋକପ୍ରିୟତା ଓ ଦ୍ରୁତ ପ୍ରସାର ଅପେକ୍ଷା ତାହାର ସତ୍ୟତା, ବିଶ୍ୱସନୀୟତା ଓ ସାମାଜିକ ଦାୟିତ୍ୱ ଅଧିକ ଗୁରୁତ୍ୱ ବହନ କରେ । ଖବର ପ୍ରସାରଣରେ ପ୍ରତିଯୋଗିତା ମଧ୍ୟରେ ନିରପେକ୍ଷତା, ତଥ୍ୟର ଯାଞ୍ଚ ଓ ନୈତିକ ମୂଲ୍ୟବୋଧକୁ ଅଗ୍ରାଧିକାର ଦେବା ଆଜିର ସାମ୍ବାଦିକତା ପାଇଁ ଏକ ବଡ଼ ଆହ୍ୱାନ ବୋଲି ସେ ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ଏବଂ ସମସ୍ତ ଅତିଥିବୃନ୍ଦ ସାମ୍ବାଦିକତାକୁ ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଅଭିହିତ କରିଥିଲେ । ସମାଜର ବିଭିନ୍ନ ସମସ୍ୟା, ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ତଥା ସରକାରୀ ଯୋଜନାର ସଫଳ ରୂପାୟନକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ । ବିଶେଷ କରି ଖବରର ଲୋକପ୍ରିୟତା ଓ ପ୍ରସାର ଅପେକ୍ଷା ତାହାର ସତ୍ୟତା, ନିରପେକ୍ଷତା ଓ ବିଶ୍ୱସନୀୟତାକୁ ଅଧିକ ପ୍ରାଧାନ୍ୟ ଦେବା ସହ ସାମ୍ବାଦିକମାନେ ନିଜର ବୃତ୍ତିଗତ ନୈତିକତା ଓ କର୍ତ୍ତବ୍ୟବୋଧକୁ ସର୍ବଦା ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ସାମ୍ବାଦିକତାର ନୈତିକତା, ସାମାଜିକ ଦାୟିତ୍ୱ ଏବଂ ଜନସାଧାରଣଙ୍କ ନିକଟରେ ସଠିକ୍ ତଥ୍ୟ ପହଞ୍ଚାଇବାର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ । ସମାଜରେ ସଚେତନତା ସୃଷ୍ଟି କରିବା ଓ ଜନମତ ଗଠନରେ ଗଣମାଧ୍ୟମର ଭୂମିକା ଅତୁଳନୀୟ ବୋଲି ସେ କହିଥିଲେ । ଏହି ଅବସରରେ ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ମହାବିଦ୍ୟାଳୟସ୍ତରରେ ଆୟୋଜିତ ବିତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମ୍ବାଦିକତାର ମୂଲ୍ୟବୋଧ, ଗଣମାଧ୍ୟମର ଭୂମିକା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ସଚେତନତା ଏବଂ ସୃଜନଶୀଳ ଚିନ୍ତନର ବିକାଶ ଏହି ପ୍ରେସ ଦିବସର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ଉପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଶେଷରେ ଉପଖଣ୍ଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗୁଣପୁର ଧନଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରି ମଞ୍ଚାସୀନ ଅତିଥି, ବକ୍ତା, ସାମ୍ବାଦିକ, ଛାତ୍ରଛାତ୍ରୀ ଓ ଆୟୋଜକମାନଙ୍କୁ କୃତଜ୍ଞତା ଜଣାଇଥିଲେ ।