jayashree

ଝାରବନ୍ଧ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ଦେବେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାକୁ ସଂଘର ସମ୍ପାଦକ ଜହନ କୁମ୍ଭାର ପରିଚାଳନା କରିଥିଲେ । ଏହି ଅବସରରେ ସାମ୍ବାଦିକତାର ଗୁରୁତ୍ୱ,ସମାଜ ପ୍ରତି ସାମ୍ବାଦିକ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ସମ୍ପାଦକ ଶ୍ରୀ କୁମ୍ଭାର ନିଜ ବକ୍ତବ୍ୟରେ ନିର୍ଭୀକ, ନିରପେକ୍ଷ ଓ ସତ୍ୟନିଷ୍ଠ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସାମ୍ବାଦିକମାନେ କେବଳ ଖବର ପରିବେଷଣରେ ସୀମିତ ନ ରହି ଅଞ୍ଚଳର ଜନସାଧାରଣଙ୍କ ସମସ୍ୟା, ଅଭାବ ଓ ଅସୁବିଧାକୁ ଲୋକଲୋଚନକୁ ଆଣିବା ସହ ତାହାର ସମାଧାନ ଦିଗରେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ବିଶେଷ କରି ଝାରବନ୍ଧ ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ପ୍ରାଥମିକତା ଦେଇ ଦାୟିତ୍ୱବାନ ସାମ୍ବାଦିକତା ମାଧ୍ୟମରେ ସମାଜର ଉନ୍ନତି ଓ ଜନସ୍ୱାର୍ଥ ରକ୍ଷା ପାଇଁ ସମସ୍ତେ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ତଥା ସାମ୍ବାଦିକ ବଂଶୀଧର ନାୟକ, ପ୍ରଦୀପ ପ୍ରଧାନ, ଶିବପ୍ରସାଦ ପଟେଲ, ଆଶିଷ କୁମାର ବାରିକ ଓ ଦୀପକ ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ପ୍ରେସ୍ ଦିବସର ମହତ୍ତ୍ୱ ଓ ସାମ୍ବାଦିକତାର ଭୂମିକା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ । ସାମ୍ବାଦିକତାର ମର୍ଯ୍ୟାଦା ଓ ନିରପେକ୍ଷତା ବଜାୟ ରଖି ଜନସାଧାରଣଙ୍କ ସ୍ୱର ହେବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ ।

Leave A Reply

Your email address will not be published.