jayashree

ରାଉରକେଲାରେ ଜାତୀୟ ପ୍ରେସ୍‌ ଦିବସ ପାଳନ : ସାମ୍ବାଦିକମାନେ ଉଭୟେ ଲୋକପ୍ରିୟତା ଓ ଦାୟିତ୍ୱବୋଧ ରହିବା ଆବଶ୍ୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ପ୍ରେସ୍‌ ଦିବସ ଅବସରରେ ରାଉରକେଲା ପ୍ରଶାସନ ଏବଂ ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିତ ଭାବେ ଆଜି ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଦୀନା ଦସ୍ତଗୀର ଯୋଗଦେଇ ଚଳିତ ବର୍ଷ ଦିବସ ପାଳନର୍ ପ୍ରସଙ୍ଗ-‘ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଶୀର୍ଷକରେ ଆଲୋଚନା କରିଥିଲେ । ଏଥିରେ ସେ ନିଜର ବ୍ୟକ୍ତିଗତ ଅନୁଭବ ଓ ଅନୁଭୂତି ସହିତ ପ୍ରଶାସନ ଏବଂ ସାମ୍ବାଦିକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସମ୍ପର୍କ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ସାମ୍ବାଦିକମାନେ ଉତ୍ତରଦାୟିତ୍ୱର ସହିତ ସଠିକ ଖବର ପରିବେଷଣ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥିଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରାବଣୀ ନାୟକ ଯୋଗଦେଇ ସମାଜର ଏକ ଦର୍ପଣ ଭଳି ସାମ୍ବାଦିକ ଓ ଗଣମାଧ୍ୟମ କାର୍ଯ୍ୟ କରୁଛି ବୋଲି କହିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ଯୋଗଦେଇ ବର୍ଷ ବର୍ଷ ଧରି ମୁଦ୍ରିତ ଗଣମାଧ୍ୟମର ବିଶ୍ୱସନୀୟତା, ଆବଶ୍ୟକତା ଏବଂ ଗୁରୁତ୍ୱ ସମ୍ପର୍କରେ ନିଜର ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସହରର ବରିଷ୍ଠ ସମାଜସେବୀ ତଥା ସଙ୍ଗଠକ ଡ. ସୁମନ ଦତ୍ତ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ସତ୍ୟାନନ୍ଦ ବେହେରା, ଚିତ୍ତରଞ୍ଜନ ବ୍ରହ୍ମା, କୁଞ୍ଜ ବିହାରୀ ରାଉତ, ନିଗମାନନ୍ଦ ଦାସ ପ୍ରମୁଖ ଶୀର୍ଷକ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲେ ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଭୟେ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀ । ଏମାନଙ୍କ ମଧ୍ୟରୁ ବିଶ୍ୱବିଜୟିନୀ ନାୟକ, ସ୍ନିଗ୍ଧା ସୋନି, ସ୍ରିୟା ପାତ୍ର ଓ ସ୍ରିଷ୍ଟି ପ୍ରସାଦ ପ୍ରମୁଖ ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବଣାଇ ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ଶତାଧିକ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ସମ୍ବାଦପତ୍ରର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ରାଉରକେଲା ସହରର ବିଭିନ୍ନ ବର୍ଗର ସାମ୍ବାଦିକଙ୍କ ସମେତ ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀମାନେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.