
- ୩୮୭ ପ୍ରକଳ୍ପ ପ୍ରଦର୍ଶିତ, ୭୯୨ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଜେନିଥ୍ ଲାୟନ୍ସ ଗୁରୁକୁଳ ପରିସରରେ ମହାଆଡ଼ମ୍ବର ଓ ଉତ୍ସାହର ସହ ‘ଜ୍ଞାନୋତ୍ସବ–୨୦୨୬’ ଆୟୋଜିତ ହୋଇଯାଇଛି । ଜ୍ଞାନ, ବିଜ୍ଞାନ, ଗଣିତ, କଳା ଓ ସାଂସ୍କୃତିକ ବିଷୟକ ଏହି ପ୍ରଦର୍ଶନୀରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିପୁଳ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ମୋଟ ୩୮୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ ୭୯୨ ଜଣ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ବିଭିନ୍ନ ମଡେଲ୍, କାର୍ଯ୍ୟକ୍ଷମ ପ୍ରକଳ୍ପ ଓ ସୃଜନାତ୍ମକ ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ସୃଜନଶୀଳତା, ବୈଜ୍ଞାନିକ ଚିନ୍ତନ, ନୂତନ ଉଦ୍ଭାବନ ଓ ପ୍ରାୟୋଗିକ ଜ୍ଞାନର ପରିଚୟ ଦେଇଥିଲେ । ଉତ୍ସବରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତଥା ସମାଜସେବୀ ଜୟ ନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜେନିଥ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସର ସଭାପତି ପ୍ରତାପ ମିଶ୍ର, ଉପସଭାପତି ସୁଶାନ୍ତ କୁମାର ରଥ, କୋଷାଧ୍ୟକ୍ଷ ମହମ୍ମଦ ଜାୱେଦ୍, ସମ୍ପାଦକ ପବନ କୁମାର ଅଗ୍ରୱାଲ, ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ଓ ଉପାଧ୍ୟକ୍ଷ ରଞ୍ଜିତ କୋଚିଆରୀ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ଗରିମା ବୃଦ୍ଧି କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ଉଦ୍ୟମ ଓ ପ୍ରତିଭାର ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ମଧ୍ୟରେ ଜିଜ୍ଞାସା, ସୃଜନଶୀଳତା ଓ ବୈଜ୍ଞାନିକ ମନୋଭାବ ବିକଶିତ କରିବାକୁ ଆହ୍ୱାନ ଦେଇଥିଲେ । ଜ୍ଞାନ, ନୂତନ ଉଦ୍ଭାବନ ଓ ପ୍ରାୟୋଗିକ ଶିକ୍ଷା ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳ ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି, ସଭାପତି ଓ ଅନ୍ୟାନ୍ୟ ଅତିଥିମାନେ ବିଦ୍ୟାଳୟର ଏହି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଏଭଳି ମଞ୍ଚର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ନିଜ ବକ୍ତବ୍ୟରେ ପ୍ରାୟୋଗିକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଆୟୋଜନକୁ ସଫଳ କରିବାରେ ସହଯୋଗ କରିଥିବା ପରିଚାଳନା ସମିତି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସେ କୃତଜ୍ଞତା ଜଣାଇଥିଲେ । ଜ୍ଞାନୋତ୍ସବ–୨୦୨୬ ବିଦ୍ୟାଳୟରେ ନୂତନ ଚିନ୍ତାଧାରା, ଅନୁଭୂତିଭିତ୍ତିକ ଶିକ୍ଷା, ବୈଜ୍ଞାନିକ ସଚେତନତା ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପ୍ରତି ଥିବା ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ ହୋଇଥିଲା । ଏହି ଆୟୋଜନ କେବଳ ଏକ ପ୍ରଦର୍ଶନୀରେ ସୀମିତ ନରହି ଜ୍ଞାନ, ସୃଜନଶୀଳତା ଓ ନୂତନ ଉଦ୍ଭାବନର ଏକ ମହାମିଳନରେ ପରିଣତ ହୋଇଥିଲା ।