
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତ କରି ଆସିକା, ସୋରଡ଼ା ଓ ଧରାକୋଟ ବ୍ଲକର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ସମ୍ପୃକ୍ତ ବ୍ଲକର ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସମୀକ୍ଷା ସମୟରେ ରାସନ କାର୍ଡଧାରୀ ଓ ଅଣରାସନ କାର୍ଡଧାରୀଙ୍କୁ ରିଲିଫ୍ ବଣ୍ଟନ, ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସଂଗ୍ରହ ଓ ଅର୍ଥ ଜମା ପ୍ରକ୍ରିୟା, ପ୍ରଭାବିତ ଗ୍ରାମଗୁଡ଼ିକର ଫସଲ କ୍ଷୟକ୍ଷତି ଆଦି ସମ୍ପର୍କରେ ଆର୍ଡିସି ସମୀକ୍ଷା କରିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ରିଲିଫ୍ ବଣ୍ଟନ ଓ ଆର୍ଥିକ ସହାୟତା ପ୍ରଦାନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ଅବସରରେ ଆର୍ଡିସି ସୋରଡ଼ା ବ୍ଲକ୍ ପରିଦର୍ଶନ କରିବା ସହ ଗୁଡ଼ିପଲ୍ଲୀ ସ୍ଥିତ ଚାଉଳ ବଣ୍ଟନ କେନ୍ଦ୍ରକୁ ଯାଇ ରିଲିଫ୍ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ଅବଗତ ହୋଇଥିଲେ । ସେହିପରି ଆସ୍କା ଓ ଭଞ୍ଜନଗର ପୌରପରିଷଦର କାଳସଣ୍ଡପୁର ଏବଂ ବାଉଁଶଲୁଣ୍ଡି ସ୍ଥିତ ଚାଉଳ ବଣ୍ଟନ କେନ୍ଦ୍ର ପରିଦର୍ଶନ କରି ରିଲିଫ୍ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ର ସମସ୍ତ ସୁବିଧା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ସହ ଏହାର ସର୍ବାଧିକ ସଦୁପଯୋଗ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ପ୍ରଭାବିତ ଅଞ୍ଚଳରେ ପରିମଳ ବ୍ୟବସ୍ଥାର ଉନ୍ନତି, ବ୍ୟାପକ ସଫେଇ ଅଭିଯାନ ଏବଂ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ଉପରେ ସେ ଗୁରୁତ୍ୱ ଦେଇଥିଲେ । କ୍ଷତିଗ୍ରସ୍ତ ଲୋକଙ୍କୁ ଭତ୍ତା ଓ ରିଲିଫ୍ ସହାୟତା ପ୍ରଦାନ ସହ ସମସ୍ତ ପୁନରୁଦ୍ଧାର କାର୍ଯ୍ୟକୁ ପୂର୍ଣ୍ଣ ତତ୍ପରତା ଓ ସମନ୍ୱୟର ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପାଦନ କରିବାକୁ ଆର୍ଡିସି ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।