jayashree

ଚାକିରିର ପ୍ରଲୋଭନ ଦେଖାଇ ଦୁଷ୍କର୍ମ : ଅଶ୍ଳୀଳ ଭିଡିଓ ଦେଖାଇ ମାଗିଲା ଲକ୍ଷେ ଟଙ୍କା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଚାକିରିର ସ୍ୱପ୍ନ ଦେଖାଇଲା, ଭରସା ଜିତିଲା। ଆଉ ସେହି ଭରସାର ସୁଯୋଗ ନେଇ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବାର ସାଂଘାତିକ ଅଭିଯୋଗ । ଖାଲି ସେତିକି ନୁହେଁ, ଘଟଣାର ଭିଡିଓ ଓ ଫଟୋକୁ ଅସ୍ତ୍ର କରି ମହିଳାଙ୍କୁ ବ୍ଲାକମେଲ୍ କରିବା ସହ ଦାବି କଲା ଏକ ଲକ୍ଷ ଟଙ୍କା । ଏଭଳି ଅଭିଯୋଗରେ ମହିଳା ଥାନା ପୁଲିସ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଉଛି ଦିନେଶ ସେଠୀ । ତା’ ନିକଟରୁ ଅଶ୍ଳୀଳ ଭିଡିଓ ଥିବା ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି ।
ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଗତ ୬ ତାରିଖରେ ସ୍ନାପଚାଟ୍ ଜରିଆରେ ପୀଡ଼ିତାଙ୍କ ସହ ଦିନେଶର ପରିଚୟ ହୋଇଥିଲା। ମହିଳା ଜଣକ ଚାକିରି ଖୋଜୁଥିବା ଜାଣି ଦିନେଶ ନିଜକୁ ଏକ ପ୍ରତିଷ୍ଠିତ ନିର୍ମାଣ ସଂସ୍ଥାର ସୁପରଭାଇଜର୍ ବୋଲି ପରିଚୟ ଦେଇଥିଲା। ଏହା ସହ ସେହି ସଂସ୍ଥାରେ ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏହି ପ୍ରତିଶ୍ରୁତିରେ ଭରସା କରି ୭ ତାରିଖ ସନ୍ଧ୍ୟାରେ ମହିଳା ଜଣକ ଗୌତମନଗରରେ ପହଞ୍ଚିଥିଲେ । ସେଠାରୁ ଦିନେଶ ତାଙ୍କୁ ନିଜ ରୁମ୍‌କୁ ନେଇଥିଲା । ଚାକିରି ପାଇବାକୁ ହେଲେ ଶାରୀରିକ ସମ୍ପର୍କ ରଖିବାକୁ ପଡ଼ିବ ବୋଲି ସର୍ତ୍ତ ରଖିଥିଲା । ମହିଳା ଜଣକ ଏହାକୁ ବିରୋଧ କରିଥିଲେ ମଧ୍ୟ ଅଭିଯୁକ୍ତ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଘଟଣା ସମୟର ଭିଡିଓ ମୋବାଇଲ୍‌ରେ ରେକର୍ଡ କରିଥିଲା ଦିନେଶ। ଏହି କଥା କାହା ଆଗରେ ପ୍ରକାଶ କଲେ ଭିଡିଓକୁ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲା। ଫଳରେ ଭୟ ଓ ଲୋକଲଜ୍ଜାରେ ମହିଳା ଜଣକ ଚୁପ୍ ରହିଥିଲେ । କିନ୍ତୁ ଅଭିଯୁକ୍ତର ବ୍ଲାକମେଲିଂ ଏତିକିରେ ସରିନଥିଲା। ଗତ ୧୦ ତାରିଖରେ ମହିଳାଙ୍କ ମୋବାଇଲ୍‌କୁ ଅଶ୍ଳୀଳ ଭିଡିଓ ପଠାଇବା ସହ ଏହାକୁ ଭାଇରାଲ୍ କରିବାର ଧମକ ଦେଇ ଏକ ଲକ୍ଷ ଟଙ୍କା ମାଗିଥିଲା । ଶେଷରେ ସବୁକଥା ନିଜ ସ୍ୱାମୀଙ୍କୁ ଜଣାଇଥିଲେ ପୀଡ଼ିତା। ଏହାପରେ ଉଭୟେ ମହିଳା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଦିନେଶ ସେଠୀକୁ ଗିରଫ କରିଛି। ତେବେ ଚାକିରିର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଫସାଇବା ଏବଂ ଅଶ୍ଳୀଳ ଭିଡିଓ ଜରିଆରେ ବ୍ଲାକମେଲ୍ କରିବାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.