jayashree

ଭୋଜି ଖାଇବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ : ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ

କଟକ : ଭୋଜି ଖାଇବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିଲେନି । ରାତିସାରା ପରିବାର ଲୋକେ ଖୋଜାଖୋଜି କରିବା ପରେ ସକାଳୁ ଗାଁ ସ୍କୁଲ ପାଚେରୀ କଡ଼ରୁ ମିଳିଲେ ଗୁରୁତର ଅବସ୍ଥାରେ । ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ଯୁବକ । ଏଭଳି ଏକ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗାଁରେ । ମୃତ ଯୁବକ ହେଉଛନ୍ତି ପୃଥ୍ୱୀରାଜ ସାହୁ । ସୂଚନା ଅନୁସାରେ, ଗତ ୯ ତାରିଖ ସନ୍ଧ୍ୟାରେ ପୃଥ୍ୱୀରାଜ ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ । ମାତ୍ର ରାତି ବିତିଯାଇଥିଲେ ମଧ୍ୟ ସେ ଘରକୁ ଫେରିନଥିଲେ । ଏନେଇ ପରିବାର ଲୋକେ ଚିନ୍ତିତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ଖୋଜଖବର ମିଳିନଥିଲା । ପରଦିନ ସକାଳେ ଗାଁ ସ୍କୁଲ ପାଚେରୀ ନିକଟରୁ ଗୁରୁତର ଅବସ୍ଥାରେ ପୃଥ୍ୱୀରାଜଙ୍କୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ପ୍ରଥମେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପୃଥ୍ୱୀରାଜଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ, ପୃଥ୍ୱୀରାଜଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ଆସିଛି । ମୃତକଙ୍କ ବଡ଼ଭାଇ କବିରାଜ ସାହୁ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିବା ସହ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ପୃଥ୍ୱୀରାଜଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ ? କିଏ ଏବଂ କାହିଁକି ତାଙ୍କୁ ଆକ୍ରମଣ କଲା ? ତାହା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.