
ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ସବୁଠୁ ବଡ଼ ବୈଷୟିକ ତଥା ଉଦ୍ଭାବନ କାର୍ଯ୍ୟକ୍ରମ ‘ବିପିୟୁଟି ହ୍ୟାକାଥନ୍ ୨୦୨୬’ର ତୃତୀୟ ସଂସ୍କରଣ ଗ୍ରାଣ୍ଡ ଫିନାଲେ ଆସନ୍ତା ନଭେମ୍ବର ୧୨ ଓ ୧୩ ତାରିଖରେ ବିଶ୍ୱବିଦ୍ୟାଳୟର ଛେଣ୍ଡସ୍ଥିତ କ୍ୟାମ୍ପସରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ୩୬ ଘଣ୍ଟିଆ ନିରବଚ୍ଛିନ୍ନ ହ୍ୟାକାଥନ୍ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ଉଦ୍ଭାବକମାନେ ଏକତ୍ରିତ ହୋଇ ବାସ୍ତବିକ ସମସ୍ୟାଗୁଡ଼ିକର ବ୍ୟବହାରିକ ସମାଧାନ ବାହାର କରିବେ । ଏହି ପ୍ରତିଯୋଗିତାର ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ନଭେମ୍ବର ୧୨ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ବିପିୟୁଟି କ୍ୟାମ୍ପସସ୍ଥିତ ନେତାଜୀ ସୁଭାଷ ପ୍ରେକ୍ଷାଗୃହରେ ଅନୁଷ୍ଠିତ ହେବ । ଏହି ଗ୍ରାଣ୍ଡ ଫିନାଲେ ଉପଲକ୍ଷେ ଆଜି ଅପରାହ୍ନ ୪.୦୦ରେ ବିଶ୍ୱବିଦ୍ୟାଳୟ ବୋର୍ଡ ରୁମ୍ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ଏବଂ ହ୍ୟାକାଥନ୍ ୨୦୨୬ର ସଂଯୋଜକ ଡ. ଡି. ଚନ୍ଦ୍ରଶେଖର ରାଓ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଗଣମାଧ୍ୟମକୁ ସମ୍ବୋଧିତ କରି ଡ. ରାଓ କହିଥିଲେ, ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଦୃଷ୍ଟିରୁ ଏହି ତୃତୀୟ ସଂସ୍କରଣ ସର୍ବବୃହତ ଅନ୍ତଃ-ବିଶ୍ୱବିଦ୍ୟାଳୟ ନିରବଚ୍ଛିନ୍ନ ହ୍ୟାକାଥନ୍ ଭାବେ ଉଭା ହୋଇଛି । ଏଥିରେ ବିଶ୍ୱବିଦ୍ୟାଳୟର ୭୧ଟି ଅନୁବନ୍ଧିତ ତଥା ସଂଲଗ୍ନ କଲେଜରୁ ୩,୮୫୨ ଜଣ ପ୍ରତିଯୋଗୀଙ୍କୁ ନେଇ ମୋଟ ୭୧୮ଟି ଦଳ ଅଂଶଗ୍ରହଣ କରିଥିଲେ, ଯାହା ପୂର୍ବ ସଂସ୍କରଣ ତୁଳନାରେ ୪୦% ଅଧିକ । ଗତ ୧୦ରୁ ୧୩ ଅକ୍ଟୋବର ମଧ୍ୟରେ ୧୧ଟି ସହଯୋଗୀ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ବହୁସ୍ତରୀୟ ଯାଞ୍ଚ ଏବଂ ଆଞ୍ଚଳିକ ମୂଲ୍ୟାଙ୍କନ ପରେ ଶ୍ରେଷ୍ଠ ୫୦ଟି ଦଳ ଏହି ପ୍ରତ୍ୟକ୍ଷ ଗ୍ରାଣ୍ଡ ଫିନାଲେ ପାଇଁ ମନୋନୀତ ହୋଇଛନ୍ତି । ସେ ଆହୁରି ସୂଚନା ଦେଇଥିଲେ, ଶିଳ୍ପ ବିଶେଷଜ୍ଞ, ବିଚାରକ ମଣ୍ଡଳୀ ଏବଂ ଅଧ୍ୟାପକମାନେ ପ୍ରତିଯୋଗୀମାନଙ୍କୁ ମାର୍ଗଦର୍ଶନ ତଥା ମୂଲ୍ୟାଙ୍କନ କରିବେ । ରାଉରକେଲା ଏବଂ ଏହାର ଆଖପାଖ ଅଞ୍ଚଳର ୧,୦୦୦ରୁ ଊର୍ଦ୍ଧ୍ୱ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଆସିବାର କାର୍ଯ୍ୟକ୍ରମ ରହିଛି, ଯାହା ସେମାନଙ୍କ ମଧ୍ୟରେ ଉଦ୍ଭାବନ, ଦଳଗତ କାର୍ଯ୍ୟ ଏବଂ ବ୍ୟବହାରିକ ସମସ୍ୟା ସମାଧାନ ଶୈଳୀର ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରିବ । ଏହି ଅବସରରେ କୁଳପତି ପ୍ରଫେସର ରଥ ଗୁରୁତ୍ୱାରୋପ କରି କହିଥିଲେ, ଏହି ହ୍ୟାକାଥନ୍ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଛାତ୍ରକୈନ୍ଦ୍ରିକ ସଂସ୍କାର, ବ୍ୟବହାରିକ ଶିକ୍ଷା, ଉଦ୍ଭାବନ ତଥା ସର୍ବାଙ୍ଗୀନ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ବିପିୟୁଟିର ଏକ ବ୍ୟାପକ ଦୂରଦୃଷ୍ଟିର ଗୁରୁତ୍ୱପୂର୍ଣ୍ଣ ଅଂଶ । ସେ ବିଦ୍ୟାର୍ଥୀମାନଙ୍କୁ ପାରମ୍ପରିକ ଶ୍ରେଣୀଗୃହ ଶିକ୍ଷାରୁ ବାହାରି ନିଜ ଜ୍ଞାନକୁ ବାସ୍ତବ ଦୁନିଆର ସମସ୍ୟା ସମାଧାନରେ ଉପଯୋଗ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଯାଉଥିବା ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହ କୁଳପତି ଶିକ୍ଷା ପ୍ରଶାସନ କ୍ଷେତ୍ରରେ ବିପିୟୁଟିର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ପରୀକ୍ଷା ସରିବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ଲଗାତାର ଦୁଇଟି ସେମିଷ୍ଟାର୍ ପରୀକ୍ଷା ଫଳ ପ୍ରକାଶ କରି ବିଶ୍ୱବିଦ୍ୟାଳୟ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ ଏବଂ ‘ଏସିଆ ବୁକ୍ ଅଫ୍ ରେକର୍ଡସ୍’ରେ ସ୍ଥାନ ପାଇ ଗୌରବ ଅର୍ଜନ କରିଛି । ବିପିୟୁଟି ସମାବର୍ତ୍ତନ ଉତ୍ସବ ଦିନ ହିଁ କଲେଜ ଅଧ୍ୟକ୍ଷମାନଙ୍କୁ ସିଧାସଳଖ ଡିଗ୍ରୀ ସାର୍ଟିଫିକେଟ୍ ହସ୍ତାନ୍ତର କରାଯାଇ ଡିଗ୍ରୀ ବଣ୍ଟନ ପ୍ରକ୍ରିୟାକୁ ସରଳୀକୃତ କରାଯାଇଛି, ଯାହା ଫଳରେ କଲେଜଗୁଡ଼ିକ ନିଜ ନିଜ ‘ସ୍ନାତକ ଦିବସ’ରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀମାନଙ୍କୁ ଡିଗ୍ରୀ ପ୍ରଦାନ କରିପାରୁଛନ୍ତି । ପାଠ୍ୟକ୍ରମ ବାହାରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିପିୟୁଟି ତାର ପ୍ରମୁଖ ଅନ୍ତଃ-ବିଶ୍ୱବିଦ୍ୟାଳୟ ମହୋତ୍ସବ ‘ବିପିୟୁଟି ଟେକ୍ କାର୍ଣ୍ଣିଭାଲ୍’ ଆୟୋଜନ କରୁଛି, ଯେଉଁଥିରେ ଓଡ଼ିଶାର ୧୪୬ଟି ଅନୁବନ୍ଧିତ ତଥା ସଂଲଗ୍ନ ଶିକ୍ଷାନୁଷ୍ଠାନ ୨୩ଟି ବୈଷୟିକ, ୨୦ଟି କ୍ରୀଡ଼ା ଏବଂ ୧୩ଟି ସାଂସ୍କୃତିକ ପ୍ରତିଯୋଗିତା ସମେତ ମୋଟ ୫୬ଟି ଇଭେଣ୍ଟରେ ଭାଗ ନେଉଛନ୍ତି । ସମାଜରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ବୈଷୟିକ ଶିକ୍ଷାର ସୁଫଳ ପହଞ୍ଚାଇବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବୈଷୟିକ ଶିକ୍ଷକମାନଙ୍କ ପାଇଁ ଦକ୍ଷତା ବୃଦ୍ଧି ବୁଟ୍କ୍ୟାମ୍ପ୍, ତୃଣମୂଳ ସ୍ତରରେ ଷ୍ଟେମ୍ କର୍ମଶାଳା ଏବଂ ସାମାଜିକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରାଯାଉଛି । କୁଳପତି ଦୋହରାଇଥିଲେ, ହ୍ୟାକାଥନ୍ ଭଳି କାର୍ଯ୍ୟକ୍ରମ ଶିଳ୍ପସଂସ୍ଥା ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗୀତା ଏବଂ ଉଦ୍ଭାବନର ବାସ୍ତବ ଅନୁଭୂତି ପ୍ରଦାନ କରୁଛି, ଯାହା ଓଡ଼ିଶାର ବୈଷୟିକ ତଥା ଆର୍ଥ-ସାମାଜିକ ବିକାଶରେ ଯୁବ ପ୍ରତିଭାଙ୍କ ଯୋଗଦାନକୁ ନିଶ୍ଚିତ କରିବ ।