
ଭୁବନେଶ୍ୱର : ଯେଉଁ ବୟସରେ ହାତରେ ବହି ଓ କଲମ ରହିବା କଥା, ସେହି ବୟସରେ ଧରୁଛନ୍ତି ବନ୍ଧୁକ ଓ ମାରଣାସ୍ତ୍ର। ପାଠପଢ଼ା ଓ ଖେଳକୁଦ ବଦଳରେ ଅପରାଧ ଜଗତ ପ୍ରତି ଆକୃଷ୍ଟ ହେଉଛନ୍ତି କିଛି କିଶୋର। ରାଜଧାନୀ ଭୁବନେଶ୍ୱରରେ ନାବାଳକଙ୍କ ଅପରାଧିକ କାର୍ଯ୍ୟକଳାପ ଏବେ ଚିନ୍ତା ବଢ଼ାଇଛି। କମିସନରେଟ୍ ପୁଲିସର ତଥ୍ୟ ଅନୁସାରେ, ୨୦୨୬ ଜାନୁଆରୀରୁ ନଭେମ୍ବର ୧୦ ତାରିଖ ମଧ୍ୟରେ ଭୁବନେଶ୍ୱରରେ ବିଭିନ୍ନ ଅପରାଧରେ ସମ୍ପୃକ୍ତି ଅଭିଯୋଗରେ ୧୧୨ ଜଣ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି । ଏଥିମଧ୍ୟରେ ହତ୍ୟା ମାମଲାରେ ୨, ହତ୍ୟା ଉଦ୍ୟମରେ ୩୭, ଆର୍ମସ୍ ଆକ୍ଟରେ ୨୪ ଓ ଚୋରି ମାମଲାରେ ୩୬ ଜଣ ରହିଛନ୍ତି । ଏହାବ୍ୟତୀତ ପୋକ୍ସୋ, ଏନ୍ଡିପିଏସ୍ ଓ ଅନ୍ୟାନ୍ୟ ମାମଲାରେ ମଧ୍ୟ ନାବାଳକଙ୍କ ସମ୍ପୃକ୍ତି ରହିଛି । ଅନ୍ୟପକ୍ଷରେ କିଛି ପେସାଦାର ଅପରାଧୀ ନିଜ ଗ୍ୟାଙ୍ଗ୍କୁ ସୁଦୃଢ଼ କରିବା ପାଇଁ ନାବାଳକଙ୍କୁ ବ୍ୟବହାର କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଏହାକୁ ରୋକିବା ପାଇଁ କେବଳ ନାବାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ। ସେମାନଙ୍କୁ ଅପରାଧ ଜଗତକୁ ଟାଣୁଥିବା ଅପରାଧୀ ଓ ନେଟ୍ୱର୍କକୁ ଦମନ କରିବା ସହ ପରିବାର, ଶିକ୍ଷାନୁଷ୍ଠାନ ଓ ପୁଲିସ ମଧ୍ୟରେ ସମନ୍ୱୟ ଆବଶ୍ୟକ ବୋଲି କହିଛନ୍ତି ଶିଶୁ ସୁରକ୍ଷା କର୍ମୀ ଡା. ବେଣୁଧର ସେନାପତି । କିଶୋରଙ୍କୁ ଅପରାଧ ପଥରୁ ଫେରାଇ ଆଣିବା ସହ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଏବେ ପୁଲିସ ଓ ସମାଜ ପାଇଁ ବଡ଼ ଆହ୍ୱାନ ପାଲଟିଛି ।