
ନୂତନ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଦାୟିତ୍ୱ ଗ୍ରହଣ : ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଭାବେ ଅନିରୁଦ୍ଧ ପଧାନ ଆଜି ଆନୁଷ୍ଠାନିକ ଭାବରେ ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନିରୁଦ୍ଧ ପଧାନଙ୍କୁ ସ୍ୱାଗତ କରାଯାଇଥିବାବେଳେ ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କୁ ଆତ୍ମୀୟତାର ସହ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନା ଯୋଗ୍ୟ ଯେ, ଶ୍ରୀମତୀ ପ୍ରଧାନଙ୍କ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାରେ ରାଜସ୍ୱ ପ୍ରଶାସନ, ଅଭିଯୋଗ ଶୁଣାଣି ଓ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ସେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, କ୍ରୀଡା ଓ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଶୁଣାଣି ଶିବିରରେ ମଧ୍ୟ ସେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିଲେ ଶ୍ରୀମତୀ ପ୍ରଧାନ । ବିଶେଷ କରି ରାଜ୍ୟ ସରକାରଙ୍କ ଜନଗଣନା କାର୍ଯ୍ୟକ୍ରମରେ ସହରଠୁ ଗ୍ରାମମାନଙ୍କୁ ଘରକୁ ଘର ପହଞ୍ଚି ଲୋକମାନଙ୍କ ସହଭାଗିତା ବୃଦ୍ଧିରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ଆଜି ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ସୋନପୁର ଉପ ଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ପ୍ରଧାନଙ୍କ ସଫଳ କାର୍ଯ୍ୟକାଳ କାମନା କରିବା ସହ ଶ୍ରୀମତୀ ପ୍ରଧାନ ନୂତନ ଭାବରେ ଯୋଗ ଦେବାକୁ ଥିବା କାର୍ଯ୍ୟସ୍ଥଳୀ ତଥା ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଯୁଗ୍ମ ସଚିବ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଥିଲେ ।