
ବାଲେଶ୍ୱର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବାଲିଆପାଳର ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ତାଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଛି । ଜମି କବଲା ପଞ୍ଜୀକରଣ ପାଇଁ ଜଣେ କ୍ରେତାଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ମନୀଷାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା । ଭିଜିଲାନ୍ସ ସୂଚନା ଅନୁସାରେ, ଜଣେ ବ୍ୟକ୍ତି ୦.୧୪ ଡେସିମିଲ ଜମିର କବଲା ପଞ୍ଜୀକରଣ ପାଇଁ ବାଲିଆପାଳ ସବ୍ରେଜିଷ୍ଟ୍ରାରଙ୍କ ନିକଟକୁ ଯାଇଥିଲେ। ଜମିର କିସମ ସମ୍ପର୍କରେ ଆବଶ୍ୟକ ସରକାରୀ ନିୟମ ଥିବା ସତ୍ତ୍ୱେ ପଞ୍ଜୀକରଣ ପାଇଁ ଅଧିକାରୀ ଜଣକ ୧୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ପରେ ଅଭିଯୋଗକାରୀଙ୍କ ଅସମର୍ଥତା ଦେଖି ଲାଞ୍ଚ ଟଙ୍କାକୁ ୭ ହଜାରକୁ ହ୍ରାସ କରିଥିଲେ। ଏନେଇ ଜମି କ୍ରେତା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଧରିଥିଲା। ଏହାପରେ ଆୟବହିର୍ଭୂତ ସମ୍ପତ୍ତି ଯାଞ୍ଚ ପାଇଁ ତାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ୨୬/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଥିବା ବେଳେ ପିସି ସଂଶୋଧନ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିଲେ ଏବଂ ବାଲିଆପାଳରେ ପ୍ରୋବେସନ୍ରେ ସବ୍ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିଲେ। ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଏବେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଦୁର୍ନୀତି ବିରୋଧରେ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।