
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ବିଜେପି ବନ୍ଧମୁଣ୍ଡା ମଣ୍ଡଳର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ବନ୍ଧମୁଣ୍ଡା ସେକ୍ଟର-ଇ ସ୍ଥିତ ଶିବ ପୂଜା ମଣ୍ଡପ ପରିସରରେ ମଣ୍ଡଳ ସଭାପତି ଲଖନ ଲୋହରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଦୀପ ପ୍ରଜ୍ଜ୍ୱଳନ ଓ ସାମୂହିକ ବନ୍ଦେ ମାତରମ୍ ଗାନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ଅଧିକ ମଜଭୁତ କରିବା ସହ ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ଉପରେ ଆଲୋଚନା ହୋଇଥିଲା । ମଣ୍ଡଳ ପ୍ରଭାରୀ ପ୍ରଣତାପ ଦାସଙ୍କ ସମେତ ମଞ୍ଚାସୀନ ଅତିଥିମାନେ ବିଜେପିର ନୀତି, ଆଦର୍ଶ, ସାଂଗଠନିକ କାର୍ଯ୍ୟଧାରା ଓ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତ ରଖିଥିଲେ । ସରକାରଙ୍କ ଯୋଜନା ଯେପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ଦଳୀୟ କର୍ମୀମାନେ ନିଷ୍ଠାର ସହ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏଥିସହ ରାଉରକେଲା ମହାନଗର ନିଗମର ଦୀର୍ଘଦିନରୁ ସ୍ଥଗିତ ଥିବା ନିର୍ବାଚନ ନେଇ ଘୋଷଣା ହୋଇଥିବାରୁ ରାଜ୍ୟ ସରକାର ଓ ଦଳୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଯାଇଥିଲା । ବୈଠକରେ ମଣ୍ଡଳର ବହୁ ବରିଷ୍ଠ ନେତା, ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ । ସଂଗଠନକୁ ଅଧିକ ଗତିଶୀଳ କରିବା ଏବଂ ଆଗାମୀ ଦିନରେ ଦଳର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏନେଇ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ।