jayashree

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ ଓ ଉତ୍ସାହ-୨୦୨୬’ରେ ମୟୂରଭଞ୍ଜର ଶ୍ରେଷ୍ଠ ପ୍ରଦର୍ଶନ

  • ଉତ୍ସାହ ଚାମ୍ପିୟନ ଟ୍ରଫି ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଲେ କୃତୀ ପ୍ରତିଯୋଗୀ

ବାରିପଦା, (ଦେବସ୍ମତି ଚୌଧୁରୀ) : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ନଭେମ୍ବର ୩ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ ଓ ଉତ୍ସାହ-୨୦୨୬’ରେ ମୟୂରଭଞ୍ଜ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରି ‘ଉତ୍ସାହ ଚାମ୍ପିୟନ ଟ୍ରଫି-୨୦୨୬’ ଅଧିକାର କରିଛି । ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାରେ ଜିଲ୍ଲାର ଅନ୍ତେବାସୀମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଏହି ସଫଳତାର ମୁଖ୍ୟ ଆଧାର ପାଲଟିଛି । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ରାଜ୍ୟ ଶିଶୁ ସୁରକ୍ଷା ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବର ଉଦ୍ଦେଶ୍ୟ ଥିଲା ରାଜ୍ୟର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସେମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା । ସାଂସ୍କୃତିକ ବିଭାଗ ‘ମହକ’ ଅଧୀନରେ ମୟୂରଭଞ୍ଜର ପ୍ରତିଯୋଗୀମାନେ ଟ୍ୟାଲେଣ୍ଟ ହଣ୍ଟରେ ପ୍ରଥମ ଏବଂ ଦଳଗତ ନୃତ୍ୟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି କ୍ରୀଡ଼ା ବିଭାଗ ‘ଉତ୍ସାହ’ରେ ଜିଲ୍ଲାର ବାଳିକା ଫୁଟବଲ ଦଳ ଓ ବାଳକ ରିଲେ ଦଳ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବାଳିକା ରିଲେ ଦଳ ତୃତୀୟ ସ୍ଥାନ ଅଧିକାର କରିଛି । ବ୍ୟକ୍ତିଗତ କ୍ରୀଡ଼ାରେ ମଧ୍ୟ ଜିଲ୍ଲାର ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ବାଳିକା ଉଚ୍ଚ ଡିଆଁରେ ପିଙ୍କି ମୁର୍ମୁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଲମ୍ବ ଡିଆଁରେ ସୁକୁମାରୀ ମୁଣ୍ଡା (ବାଳିକା) ଓ ଛୋଟରାୟ ସୋରେନ (ବାଳକ) ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏଥିସହ ୧୦୦ ମିଟର ଦୌଡ଼ରେ ପେଟୁ ତିରିଆ ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲାର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି । ଏହି ଗୌରବଜନକ ସଫଳତା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ୍ ସମସ୍ତ କୃତୀ ପ୍ରତିଯୋଗୀ, ସେମାନଙ୍କ ମାର୍ଗଦର୍ଶକ ଓ ସହଯୋଗୀ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ସଫଳତା ଜିଲ୍ଲା ପାଇଁ ଗର୍ବ ଓ ଆନନ୍ଦର ବିଷୟ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗୀମାନଙ୍କ ପ୍ରସ୍ତୁତି ଓ ଅଂଶଗ୍ରହଣ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.