
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲା ଟ୍ରେଡ଼ ୟୁନିଅନ ସମନ୍ୱୟ ସମିତି ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ବକେୟା ଭତ୍ତା ପ୍ରଦାନ ଓ ସ୍ଥାୟୀ ଶ୍ରମ ଦପ୍ତର ନିର୍ମାଣ ପାଇଁ ସରକାରୀ ଜମି ଯୋଗାଣ ଦାବୀରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଶ୍ରମ ଆୟୁକ୍ତ ଦିଲେଶ୍ଵର ଖାଖା ଓ ଜିଲ୍ଲା ଶ୍ରମ ଅଧିକାରୀ ମିସ କନ୍ୟାକୁମାରୀ ସାହୁଙ୍କୁ ପ୍ରଦାନ କରାଯାଇଛି । ସମନ୍ଵୟ ସମିତିର ଅଧ୍ୟକ୍ଷ ବିଶିଷ୍ଟ ଶ୍ରମିକ ନେତା କର୍ମଯୋଗୀ ଗୋବିନ୍ଦ ମହାରଣାଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ପଞ୍ଜିକୃତ ଶ୍ରମିକ ସଂଗଠନ ଓ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନର ନେତୃମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ । ଦାବିପତ୍ରରେ ଦୁଇଟି ପ୍ରମୁଖ ଦାବି ରହିଛି ଯେ ଦୀର୍ଘଦିନ ହେଲା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ବିଭିନ୍ନ ହିତାଧିକାରୀ ଯୋଜନା ଯେପରିକି ବିବାହ ଭତ୍ତା, ଶିକ୍ଷା ଭତ୍ତା, ପ୍ରସୂତି ଭତ୍ତା ଓ ମୃତ୍ୟୁ ଭତ୍ତା ପ୍ରଦାନ କରାଯାଉ ନାହିଁ । ତେଣୁ ଶ୍ରମିକମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ତୁରନ୍ତ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ଏବଂ ସୋନପୁର ସହରରେ ସ୍ଥାୟୀ ଶ୍ରମ କାର୍ଯ୍ୟାଳୟ ନିର୍ମାଣ ପାଇଁ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ ବହୁ ଦିନ ପୂର୍ବରୁ ସୋନପୁର ତହସିଲ ନିକଟରେ ସରକାରୀ ଜମି ଆବଣ୍ଟନ ପାଇଁ ଆବେଦନ କରିଥିଲେ ମଧ୍ୟ କୌଣସି ଅଜ୍ଞାତ କାରଣରୁ ପ୍ରକ୍ରିୟା ବିଳମ୍ବ ହେଉଛି । ଏହା ଉପରେ ଧ୍ୟାନ ଦେଇ ଶୀଘ୍ର ଜମି ଯୋଗାଇ ଦେବାକୁ ଦାବି କରାଯାଇଛି ।