
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ପେନ୍ସନ୍ ଭୋଗୀ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବିଭିନ୍ନ ପେନ୍ସନ୍ ସମ୍ବନ୍ଧୀୟ ସମସ୍ୟାର ସମାଧାନ ନିମନ୍ତେ କନ୍ଧମାଳ ଜିଲ୍ଲାରେ ଆସନ୍ତା ନଭେମ୍ବର ୫ ତାରିଖ ଗୁରୁବାର ଦିନ ଏକ ପେନ୍ସନ୍ ଅଦାଲତ ଆୟୋଜନ କରାଯିବ । ଏହି ଅଦାଲତ ସକାଳ ୧୦ଟା ସମୟରେ ଫୁଲବାଣୀ ସ୍ଥିତ ପଞ୍ଚାୟତ ଭବନର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ, ଓଡ଼ିଶା ଏବଂ ଲେଖା ନିୟନ୍ତ୍ରକ, ଓଡ଼ିଶାଙ୍କ ମିଳିତ ଆୟୋଜନରେ ଏହି ଅଦାଲତ ହେବ । ଏଥିରେ କନ୍ଧମାଳ ଜିଲ୍ଲା ପ୍ରଶାସନ ସହଯୋଗ କରିବ। ଏହି ଅଦାଲତ ମାଧ୍ୟମରେ ପେନ୍ସନ୍ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଓ ଦୀର୍ଘଦିନରୁ ରହିଥିବା ସମସ୍ୟା ଗୁଡ଼ିକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ମିଳିବ । ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ସମ୍ବନ୍ଧୀୟ ଜଟିଳତା ଦୂର କରିବା ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ଦିଗରେ ଏହି ଅଦାଲତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।