
କେର୍ମେଲାବାହାଲ, (କେପିଏନ୍ଏସ୍) : ଶିଶୁଙ୍କ ଅଧିକାରର ସୁରକ୍ଷା, ଶିଶୁ ବିବାହ ରୋକିବା ଏବଂ ଶିଶୁ ଅନୁକୂଳ ପଞ୍ଚାୟତ ଗଠନ ଲକ୍ଷ୍ୟରେ ବରଗଡ଼ ଜିଲ୍ଲା କେର୍ମେଲାବାହାଲ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଦିନିକିଆ ସଚେତନତା ଓ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । କର୍ମଶାଳାକୁ ପଞ୍ଚାୟତର ସରପଞ୍ଚ ମମତା ସାହୁ ଉଦ୍ଘାଟନ କରିଥିବାବେଳେ ଏଥିରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସିଆରପି, ୱାର୍ଡ ସଭ୍ୟସଭ୍ୟା ଏବଂ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି ଯୋଗଦେଇଥିଲେ । ଏହି ଅବସରରେ ପଲ୍ଲୀ ଆଲୋକ ପାଠାଗାରର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ହୀରାଲାଲ ମିଶ୍ର ଶିଶୁଙ୍କ ଅଧିକାର, ସୁରକ୍ଷା ଓ ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ଆଇନଗତ ଏବଂ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ମଙ୍ଗଳ କମିଟିର ଭୂମିକା ଏବଂ ଦାୟିତ୍ୱ ବିଷୟରେ ମଧ୍ୟ ସେ ବୁଝାଇଥିଲେ । ଅନ୍ୟପକ୍ଷରେ, ଗ୍ରାମ ପଞ୍ଚାୟତ ବିକାଶ ଯୋଜନାରେ ଶିଶୁମାନଙ୍କ ସମସ୍ୟା ଓ ଆବଶ୍ୟକତାକୁ ସାମିଲ କରିବା ଉପରେ ଆଲୋଚନା ହୋଇଥିଲା । ପରେ ପ୍ରଶାନ୍ତ ଥାପାଙ୍କ ସଂଯୋଜନାରେ ଅଂଶଗ୍ରହଣକାରୀମାନେ ଦଳଗତ ଆଲୋଚନା କରି ଶିଶୁ ବିବାହ, ଶିକ୍ଷାରୁ ବଞ୍ଚିତ ହେବା ଓ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସମସ୍ୟା ଚିହ୍ନଟ କରିଥିଲେ । ରଞ୍ଜନ ପାଣ୍ଡେ ଏହି ଆଲୋଚନାର ନିଷ୍କର୍ଷ ଉପସ୍ଥାପନ କରିଥିଲେ । କର୍ମଶାଳାରେ ସରପଞ୍ଚ ମମତା ସାହୁ ପଞ୍ଚାୟତରେ ଶିଶୁ ବିବାହ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଶିଶୁ ବିବାହ ସମ୍ପର୍କିତ ତଥ୍ୟ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ରେଜିଷ୍ଟର ରଖିବା ଓ ନିୟମିତ ସମୀକ୍ଷା କରିବାକୁ ପ୍ରସ୍ତାବ ଦେଇଥିଲେ । ଶିଶୁମାନଙ୍କ ସମସ୍ୟାଗୁଡ଼ିକୁ ଆଗାମୀ ପଞ୍ଚାୟତ ବିକାଶ ଯୋଜନାରେ ସ୍ଥାନ ଦେବାକୁ ମଧ୍ୟ ମତ ପ୍ରକାଶ ପାଇଥିଲା । ଶେଷରେ ହୀରାଲାଲ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳା ମାଧ୍ୟମରେ ଶିଶୁ ସୁରକ୍ଷା ପ୍ରତି ସାମୂହିକ ଦାୟିତ୍ୱବୋଧ ବୃଦ୍ଧି ସହ ଶିଶୁ ବିବାହମୁକ୍ତ ଓ ଶିଶୁ ଅନୁକୂଳ ପଞ୍ଚାୟତ ଗଠନ ପାଇଁ ପ୍ରୟାସକୁ ଆଗକୁ ବଢ଼ାଇବାର ଆହ୍ୱାନ ଦିଆଯାଇଥିଲା ।