
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସଚେତନତା ଓ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିରାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ପ୍ରଧାନ ଶିକ୍ଷକ ସନାତନ ଅମାୟତଙ୍କ ଆବାହନରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ ମଳିକ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ଅଲେଖ ରଣା ଉପସ୍ଥିତ ଅଭିଭାବକ ଓ ଅନ୍ୟ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ବୈଠକରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ମୂଲ୍ୟାୟନ ନିମନ୍ତେ ସମାପ୍ତି ସୂଚକ ଆକଳନ-୧ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିସହ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା, ନିଶାମୁକ୍ତ ଭାରତ ଅଭିଯାନକୁ ତୃଣମୂଳ ସ୍ତରରେ ସଫଳ କରିବା ଏବଂ ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମତ ବିନିମୟ କରାଯାଇଥିଲା । ସେହିପରି ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ଓ ସୁଯୋଗର ସଠିକ୍ ଉପଯୋଗ, ଶିକ୍ଷାଦାନର ମାନ ବୃଦ୍ଧି ଏବଂ ବିଦ୍ୟାଳୟର ବିକାଶରେ ଅଭିଭାବକଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଦ୍ୟାଳୟର ଉନ୍ନତି ଓ ପିଲାମାନଙ୍କ ଶିକ୍ଷାଗତ ପ୍ରଗତି ଦିଗରେ ଅଭିଭାବକ ମାନେ ନିଜ ନିଜର ଗଠନମୂଳକ ମତାମତ ରଖିଥିଲେ । ବିଦ୍ୟାଳୟର ସାମଗ୍ରିକ ବିକାଶରେ ଶିକ୍ଷକ, ଅଭିଭାବକ ଓ ପରିଚାଳନା କମିଟି ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ଶିକ୍ଷକ ଲକ୍ଷ୍ମୀକାନ୍ତ ପୃଷ୍ଟି ଓ ଶିକ୍ଷୟିତ୍ରୀ ଅଞ୍ଜଳୀ ମଲ୍ଲିକଙ୍କ ସମେତ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ଅଲେଖ ରଣା ଧନ୍ୟବାଦ ଅର୍ପଣ କରିବା ପରେ ବୈଠକ ସମାପ୍ତ ହୋଇଥିଲା ।