
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ କ୍ଲଷ୍ଟର ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୁଞ୍ଚିତରା ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ସରପଞ୍ଚ ମୋତିମାଳା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରାମରତନ ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଓ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ପ୍ରେରଣାଦାୟକ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୁଞ୍ଚିତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି, ତେନ୍ତୁଳିଖୁଣ୍ଟି ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସତ୍ୟ କୁମ୍ଭାର, ବେଲପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରମଣୀ ସାହାଣୀ, ଲେଞ୍ଝା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନକୁଳ ଦୀପ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷା ଦମୟନ୍ତୀ ଛୁରା ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ, ସୃଜନଶୀଳ ଓ ସାମଗ୍ରିକ ବିକାଶ ଦିଗରେ ମୂଲ୍ୟବାନ ମତାମତ ରଖିବା ସହ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ, ବିକାଶ ଓ ପ୍ରଦର୍ଶନ ନିମନ୍ତେ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ, ସୃଜନଶୀଳ ଓ ପ୍ରତିଭାଭିତ୍ତିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିମଧ୍ୟରେ ପ୍ରବନ୍ଧ ଲିଖନ, ବକ୍ତୃତା, କୁଇଜ୍, ଚିତ୍ରାଙ୍କନ, ଆର୍ଟ ଆଣ୍ଡ କ୍ରାଫ୍ଟ, ପିଏମ୍ ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକଳାପ, ନୃତ୍ୟ ଓ ସଙ୍ଗୀତ ଆଦି ଅନ୍ତର୍ଭୁକ୍ତ ଥିଲା । ସିରୋଲ କ୍ଲଷ୍ଟର ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏହି ପ୍ରତିଯୋଗିତାଗୁଡ଼ିକରେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହାଦ୍ୱାରା କୁନି ପ୍ରତିଯୋଗୀମାନଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ଭବିଷ୍ୟତରେ ଆହୁରି ଉନ୍ନତ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ମିଳିଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଏହି ଆୟୋଜନକୁ ପ୍ରଶଂସା କରିଥିଲେ । ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରିବା, ସେମାନଙ୍କୁ ଉପଯୁକ୍ତ ସୁଯୋଗ ଦେବା ଏବଂ ସର୍ବାଙ୍ଗୀନ ବିକାଶରେ ସହାୟକ ହେବା ଦିଗରେ ‘ସୁରଭି’ ପରି କାର୍ଯ୍ୟକ୍ରମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ମଞ୍ଚ ସଂଯୋଜନା ଦାୟିତ୍ୱ ତେନ୍ତୁଳିଖୁଣ୍ଟି ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଡିଲେଶ୍ୱର ବେହେରା ତୁଳାଇଥିଲେ । ଗୁଞ୍ଚିତରା ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ କ୍ଲଷ୍ଟର ଅଧୀନସ୍ଥ ୧୫ଟି ବିଦ୍ୟାଳୟରୁ ଆସିଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଭିନ୍ନ ପ୍ରତିଯୋଗିତା ଓ ବିଭାଗର ଦାୟିତ୍ୱ ସୁଚାରୁରୂପେ ତୁଳାଇ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ । ପ୍ରତିଯୋଗୀ ଛାତ୍ରଛାତ୍ରୀ,ସେମାନଙ୍କ ଗାଇଡ୍ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଆୟୋଜକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ସୁବନ୍ଦୋବସ୍ତ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ମୋହନ ଚରଣ ସାହୁ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ପରେ ଉତ୍ସବର ସମାପନ ହୋଇଥିଲା ।