jayashree

ପାଇକମାଲ ବ୍ଲକସ୍ତରୀୟ କବାଡ଼ି ଓ ଭଲିବଲ୍ ଚୟନ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସାପଲହରସ୍ଥିତ ଗାୟତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ କବାଡ଼ି ଓ ଭଲିବଲ୍ ଚୟନ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜୋନାଲସ୍ତରରୁ ବ୍ଲକସ୍ତରକୁ ମନୋନୀତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବାଦିକଟା ଗ୍ରାମପଞ୍ଚାୟତର ସରପଞ୍ଚ ସବିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ଶାରୀରିକ ତଥା ମାନସିକ ବିକାଶରେ ଏହାର ଭୂମିକା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଶୁଭମ କୁମାର ପତି ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରାଧେଶ୍ୟାମ ମେହେର ଯୋଗଦେଇ କ୍ରୀଡ଼ା ମାଧ୍ୟମରେ ଶୃଙ୍ଖଳା, ଏକତା ଓ ଦଳଗତ ମନୋଭାବ ବିକଶିତ ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ହୋତା ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଲଖମରା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧୀରଜ କୁମାର ପଟ୍ଟନାୟକ ମଧ୍ୟ ଏଥିରେ ଯୋଗଦେଇଥିଲେ । ଏହି ଚୟନ ପ୍ରତିଯୋଗିତାରେ କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକମାନେ ସହଯୋଗ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରଜ ଧରୁଆ, ଉପସଭାପତି କନକ ପଟେଲଙ୍କ ସମେତ କମିଟିର ଅନ୍ୟ ସଦସ୍ୟ, ସାପଲହର ଗ୍ରାମବାସୀ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ସହ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍ତମ ମଞ୍ଚ ସୃଷ୍ଟି କରିଛି ।

Leave A Reply

Your email address will not be published.