jayashree

ଏମ୍‌ଏମ୍‌ଡିଆର୍‌ ସଂଶୋଧନକୁ ବିରୋଧ : ସୁନ୍ଦରଗଡ଼ରେ ବିଜେଡିର ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬କୁ ବିରୋଧ କରି ସୁନ୍ଦରଗଡ଼ରେ ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯାଇଛି । ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର ଓ ରାଜ୍ୟର ରାଜସ୍ୱ ସ୍ୱାର୍ଥ ସୁରକ୍ଷା ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ଅବରୋଧ ଚାଲିଥିଲା । ପ୍ରତିବାଦରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହଙ୍କ ସମେତ ବିଜେଡିର ବହୁ ବରିଷ୍ଠ ନେତା, ବିଧାୟକ, ଜନପ୍ରତିନିଧି, ମହିଳା, ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତା ଏବଂ ସାଧାରଣ ଲୋକ ସାମିଲ ହୋଇଥିଲେ । ଅରୁଣ ସାହୁ, ସୁଦାମ ମାରାଣ୍ଡି, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ପଦମପୁର ବିଧାୟିକା ବର୍ଷା ସିଂ ବରିହା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଏଥିରେ ଯୋଗଦେଇଥିଲେ । ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନ ଦ୍ୱାରା ରାଜ୍ୟର ଖଣିଜ ଅଧିକାର ଏବଂ ଖଣିଜ ଥିବା ଜମି ଉପରେ ଟିକସ, ସେସ୍‌ ଓ ଅନ୍ୟାନ୍ୟ ଶୁଳ୍କ ଆଦାୟ କ୍ଷମତା ସୀମିତ ହେବ ବୋଲି ବିଜେଡି ଅଭିଯୋଗ କରିଛି । ଏହାଦ୍ୱାରା ଓଡ଼ିଶା ବ୍ୟାପକ ରାଜସ୍ୱ ହରାଇପାରେ ବୋଲି ଦଳ ଆଶଙ୍କା ପ୍ରକାଶ କରିଛି । ଖଣିଜ ରାଜସ୍ୱ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ଜଳସେଚନ ଓ ଆଦିବାସୀ ଅଞ୍ଚଳର ବିକାଶରେ ବ୍ୟବହୃତ ହେଉଥିବାରୁ ଓଡ଼ିଶାର ଆର୍ଥିକ ସ୍ୱାର୍ଥକୁ କୌଣସି ପରିସ୍ଥିତିରେ କ୍ଷୁର୍ଣ୍ଣ ହେବାକୁ ଦିଆଯିବ ନାହିଁ ବୋଲି ବିଜେଡି ନେତାମାନେ କହିଛନ୍ତି । ଆଇନ ସଂଶୋଧନ ପ୍ରତ୍ୟାହାର ଦାବିରେ ଆଗକୁ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.