jayashree

ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବନ୍ଧପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଲଜଡ଼ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧପଡ଼ା ସିଆରସିସି ଅଜିତ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ୍ଧପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୀମା ଅମାତ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ତଥା ସେମାନଙ୍କ ସୃଜନଶୀଳତାର ପରିପ୍ରକାଶ ପାଇଁ ‘ସୁରଭି’ ଏକ ଶ୍ରେଷ୍ଠ ମାଧ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୁଇଁତଲା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ପଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାଗବତିଆ ନାଏକ, ବନ୍ଧପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ କୁମାର ବଡ଼ପଣ୍ଡା, ବଇରାସର ସିଆରସିସି ରଞ୍ଜିତ ମିଶ୍ର, ମଲମୁଣ୍ଡା ସିଆର୍‌ସିସି ପ୍ରମୋଦ କୁମାର ପଟେଲ, ଆଟଗାଁ ସିଆର୍‌ସିସି ସରୋଜ କୁମାର ସେଠୀ, ଛତାମଖନା ସିଆର୍‌ସିସି ବସନ୍ତ କୁମାର ବେହେରା ଏବଂ ଭାଲେର ସିଆର୍‌ସିସି ପ୍ରଭାକର ମହାପାତ୍ର, ମୁଖ୍ୟବକ୍ତା ଝସକେତନ ଗୁରୁ, ଅଜିତ କୁମାର ଗୁରୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଗୁଣାତ୍ମକ ଶିକ୍ଷା ଓ ସହ-ପାଠ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କ୍ଲଷ୍ଟର ଅଧୀନସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଂଗୀତ, ନୃତ୍ୟ, ହସ୍ତାକ୍ଷର ତଥା କୁଇଜ୍ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ଉତ୍ସାହିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଜଳଜଡ଼ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ସଭାସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.