
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଗରିବ ଓ ଆବଶ୍ୟକତା ଥିବା ପରିବାରଙ୍କ ସହାୟତା ପାଇଁ ରାମକୃଷ୍ଣ ମଠ ଓ ମିଶନ, ଭୁବନେଶ୍ୱର ପକ୍ଷରୁ ଡେଲାଙ୍ଗରେ ଏକ ସ୍ୱତନ୍ତ୍ର ରିଲିଫ ଶିବିର ଆୟୋଜିତ ହୋଇଛି । ଡେଲାଙ୍ଗ ବ୍ଲକ ଚାଇଁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଷଡାଙ୍ଗୋଇ ଗୋରଡାପିଢ ମଙ୍ଗଳାପୀଠ ପ୍ରାଙ୍ଗଣରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମହନ୍ତ ମହାରାଜ ଆଦୌଲିଆ ନନ୍ଦ ବାବାଙ୍କୁ ଭକ୍ତମାନେ ହରିବୋଲ ଓ ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ପରେ ପଦଧୌତ, ପୁଷ୍ପ ସମର୍ପଣ ଓ ଧୂପଦୀପ ପ୍ରଜ୍ୱଳନ ମାଧ୍ୟମରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାମକୃଷ୍ଣ ମଠ ଓ ମିଶନ ପକ୍ଷରୁ ପ୍ରାୟ ଏକଶହ ପରିବାରର ୨୦୦ ଜଣ ଗରିବ ଓ ଅନୁସୂଚିତ ଜାତିର ପୁରୁଷ ଓ ମହିଳାଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା। ଏହା ସହ ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କ ଜୀବନାଦର୍ଶ, ଚିନ୍ତାଧାରା ଓ ସମାଜସେବାର ବାର୍ତ୍ତା ଉପରେ ଆଲୋଚନା ହୋଇଥିଲା । ଅବସରପ୍ରାପ୍ତ ଶିକ୍ଷକ ହୁଲାସ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମହନ୍ତ ମହାରାଜ ଆଦୌଲିଆ ନନ୍ଦ ବାବା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ରାମକୃଷ୍ଣ ମିଶନ, ଭୁବନେଶ୍ୱର ପକ୍ଷରୁ ଅଶୋକ କୁମାର ଓ ମାଧବ ବାବୁ ଅନୁଷ୍ଠାନର ବିଭିନ୍ନ ସାମାଜିକ ସେବାମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଚାଇଁପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ାଙ୍କ ଆୟୋଜନରେ ଏହି ଶିବିର ହୋଇଥିବା ବେଳେ ଓଡ଼ିଶା ମହିଳା ବିକାଶ ମଞ୍ଚ ସହଯୋଗ କରିଥିଲା । ଆଇନଜୀବୀ ଅନୁପ ପରିଡ଼ା, ଅବସରପ୍ରାପ୍ତ ରେଳବାଇ ଅଧିକାରୀ ଯୁଧିଷ୍ଠିର ପରିଡ଼ାଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ବ୍ୟକ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ପ୍ରାକ୍ତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।