jayashree

ବ୍ରହ୍ମପୁରର ପ୍ରେକ୍ଷାଳୟଗୁଡିକରେ ମଞ୍ଚ ପରିବେଷଣ ନିମନ୍ତେ ରିହାତି ପ୍ରଦାନ ପାଇଁ ଦୃଷ୍ଟି ଆକର୍ଷଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ହିଲପାଟଣାସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନର ଭଡ଼ା ରିହାତି ଏବଂ ରିହର୍ସାଲ (ଅଭ୍ୟାସ) ପାଇଁ ଯାହାକି ମଞ୍ଚରେ ନାଟକ ପରିବେଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆଦିରେ ଉତ୍ତମ ସୁବିଧା ସୁଯୋଗ ନେଇ ରିହାତି ଦରରେ ସ୍ଥାନ ଯୋଗାଇଦେବା ଓ ଅନ୍ୟାନ୍ୟ ସରକାରୀ/ବେସରକାରୀ ସଂସ୍ଥାଗୁଡ଼ିକୁ ରିହାତି ଦରରେ ସୁବିଧା ସମ୍ପ୍ରସାରିତ କରିବା ପାଇଁ ନିର୍ଦ୍ଦେଶ ଦେବା ସମ୍ବନ୍ଧରେ ବ୍ରହ୍ମପୁରର ୨୦ରୁ ଉର୍ଦ୍ଧ୍ୱ ନାଟକ ଓ ସାଂସ୍କୃତିକ ଅନୁଷ୍ଠାନର ମିଳିତ ମଞ୍ଚ “ବ୍ରହ୍ମପୁର କଳାକାର ଏକତା ମଞ୍ଚ” ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରଦାନ କରଯାଇଛି । ପ୍ରକାଶ ଥାଉକି, ବ୍ରହ୍ମପୁର କଳାକାର ଏକତା ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ବିକାଶ ଲକ୍ଷ୍ୟ ନେଇ ବିଗତ ତିନି ବର୍ଷ ଧରି ବ୍ରହ୍ମପୁରରେ କାର୍ଯ୍ୟ କରିଆସୁଛି । ବ୍ରହ୍ମପୁର ତଥା ସମଗ୍ର ଗଞ୍ଜାମ ଜିଲ୍ଲାରେ ଥିଏଟର, ନାଟକ ଏବଂ ଲୋକନୃତ୍ୟକୁ ଉତ୍ସାହିତ କରିବା ତା’ର ମୁଖ୍ୟ ଉଦ୍ଦେଶ୍ୟ । ନାଟ୍ୟମଣ୍ଡପ ତଥା ପ୍ରେକ୍ଷାଳୟଗୁଡ଼ିକର ଚଡ଼ା ଦରରେ ଭଡ଼ା ଯୋଗୁଁ ବ୍ରହ୍ମପୁରର ନାଟକ ଓ ଥିଏଟର ଅନୁଷ୍ଠାନଗୁଡ଼ିକ କାର୍ଯ୍ୟକ୍ରମ ଆୟୋଜନ ତଥା ପରିବେଷଣ କରିବାରେ କଳାକାର ଗୋଷ୍ଠୀମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଏହି ଅନୁଷ୍ଠାନଗୁଡ଼ିକୁ କୌଣସି ଆର୍ଥିକ ସହାୟତା ମିଳୁନାହିଁ । ଏହିସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ଅନୁଷ୍ଠାନଗୁଡ଼ିକ ସମାଜର ସମୃଦ୍ଧ କଳା ଓ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ପ୍ରଚାର ପ୍ରସାର ପାଇଁ ଅକ୍ଳାନ୍ତ ପରିଶ୍ରମ କରିଆସୁଛନ୍ତି । ଗଞ୍ଜାମ ଜିଲ୍ଲା ତାହାର ଗୌରବମୟ ଲୋକନୃତ୍ୟ ଓ ନାଟକ ପରମ୍ପରା ପାଇଁ ପ୍ରସିଦ୍ଧ, ଯାହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । ଉପଯୁକ୍ତ ରିହର୍ସାଲ (ଅଭ୍ୟାସ) ସ୍ଥାନର ଅଭାବ ଯୋଗୁଁ ସଙ୍ଗଠନ ଗୁଡ଼ିକ ମଧ୍ୟ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। । ବର୍ତ୍ତମାନ ନାଟକ ଗ୍ରୁପଗୁଡ଼ିକୁ ଅଭ୍ୟାସ କରିବା ଓ ନୂତନ ନାଟକ ପ୍ରସ୍ତୁତ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ଉପଲବ୍ଧ ନାହିଁ । ତେଣୁ ବ୍ରହ୍ମପୁର ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନକୁ ‘ବ୍ରହ୍ମପୁର କଳାକାର ଏକତା ମଞ୍ଚ’ ସହ ଅନୁବନ୍ଧିତ ନାଟ୍ୟ ଅନୁଷ୍ଠାନଗୁଡ଼ିକୁ ଧାର୍ଯ୍ୟ ଭଡ଼ାରେ ୫୦% ରିହାତିରେ ଯୋଗାଇ ଦିଆଯିବା ଏବଂ ଅନ୍ୟାନ୍ୟ ବେସରକାରୀ ସଂସ୍ଥାଗୁଡ଼ିକୁ ମଧ୍ୟ ଏହି ସୁବିଧା ସମ୍ପ୍ରସାରିତ କରିବାକୁ ନିର୍ଦ୍ଦେଶ ଦିଆଯିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । ବ୍ରହ୍ମପୁରସ୍ଥିତ ଗଞ୍ଜାମ କଳା ପରିଷଦର ଓ ସଂସ୍କୃତି ଭବନ ପରିସରରେ କୌଣସି ଗୋଟିଏ କୋଠରୀ କିମ୍ବା ବ୍ରହ୍ମପୁରର କୌଣସି ଉପଯୁକ୍ତ ସରକାରୀ/ ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ପରିସରରେ ଅତି କମରେ ୧୫ ଦିନ ପାଇଁ ନାଟ୍ୟ ଅନୁଷ୍ଠାନଗୁଡ଼ିକୁ ରିହର୍ସାଲ (ଅଭ୍ୟାସ) ନିମନ୍ତେ ଉପଯୁକ୍ତ ସ୍ଥାନ ସୁବିଧା କରାଇଦେବା ଜରୁରୀ ନେଇ ଏହି ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବ୍ରହ୍ମପୁର କଳାକାର ଏକତା ମଞ୍ଚର ସଭାପତି ରମେଶ ମହାରଣା, ସମ୍ପାଦକ ରାମଚନ୍ଦ୍ର ସାସମଲ ସହିତ ଅନୀଲ ପାତ୍ର, କୈଳାଶ ପାଣିଗ୍ରାହୀ, ସୋମନାଥ ବେହେରା, ରାଜଗୋପାଳ ପାଢ଼ୀ, ନବୀନ କୁମାର ହୋତା ପ୍ରମୁଖ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ସହ ସାକ୍ଷାତ କରି ଏହି ଦାବୀର ଯଥାର୍ଥ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

Leave A Reply

Your email address will not be published.