jayashree

ବଲାଙ୍ଗିରରେ ‘ନମୋ ସେବା ଗାଥା’, ନାଟ୍ୟରୂପରେ ମୋଦୀଙ୍କ ଜୀବନ ଓ ଜନସେବାର କାହାଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପଥପ୍ରାନ୍ତ ନାଟକ ‘ନମୋ ସେବା ଗାଥା’ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ପରିବେଷିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ, ସଂଘର୍ଷ ଓ ୨୫ ବର୍ଷର ଜନସେବାକୁ ଆଧାର କରି ଏହି ନାଟକ ପ୍ରସ୍ତୁତ କରାଯାଇଥିଲା । କଳାକାରମାନେ ତାଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ ଏବଂ ସାର୍ବଜନୀନ ଜୀବନରେ ତାଙ୍କ ଯାତ୍ରାକୁ ନାଟ୍ୟରୂପରେ ପ୍ରଦର୍ଶନ କରିଥିଲେ । ଏଥିରେ ଜନସେବା, ପ୍ରତିବଦ୍ଧତା ଓ ରାଷ୍ଟ୍ର ଗଠନ ପ୍ରତି ତାଙ୍କ ଭୂମିକାକୁ ମଧ୍ୟ ଚିତ୍ରଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବଲ୍ଲଭ ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୋପାଳଜୀ ପାଣିଗ୍ରାହୀ, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ, ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଅରବିନ୍ଦ ଓଝା, ପଥପ୍ରାନ୍ତ ନାଟକର ଜିଲ୍ଲା ସଂଯୋଜକ ସୁଶାନ୍ତ ମହାନ୍ତି ଓ ଅମରଜିତ୍ ପଟେଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସନ୍ଦୀପ କଅଁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଅତିଥିମାନେ ଜନସେବା, ସମାଜ ମଙ୍ଗଳ ଓ ନିଷ୍ଠାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ମୋଦୀଙ୍କ ସାର୍ବଜନୀନ ଜୀବନର ବିଭିନ୍ନ ପର୍ଯ୍ୟାୟକୁ ନାଟ୍ୟରୂପରେ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଥିବାରୁ ଦର୍ଶକମାନେ ନାଟକକୁ ପ୍ରଶଂସା କରିଥିଲେ । ‘ନମୋ ସେବା ଗାଥା’ ମାଧ୍ୟମରେ ଜନସେବା, ଓ ଲୋକଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଭଳି ମୂଲ୍ୟବୋଧକୁ ଉପସ୍ଥାପନ କରାଯାଇଥିଲା ।

Leave A Reply

Your email address will not be published.