
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଜମି କେଳେଙ୍କାରୀରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗକୁ ନେଇ ସୋମବାର ଦିନ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ନାମରେ ବିଭିନ୍ନ କାନ୍ଥ ବାଡ଼ରେ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା । ପୋଷ୍ଟରରେ ପାଣିମୁରା ମାସ ବାୟୋ ଫୁଏଲ ଇଥାନଲ ଫ୍ୟାକ୍ଟ୍ରିଜମି ଦୁର୍ନୀତି ମାମଲାରେ ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି । ପୋଷ୍ଟରରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଏବଂ ତତ୍କାଳୀନ ଏଡିଏମ୍ ତଥା ବର୍ତ୍ତମାନ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ସୂର୍ଯ୍ୟନାରାୟଣ ଦାଶଙ୍କ ନାମ ଓ ଫଟୋ ରହିଛି । ଏହା ଜଣାପଡ଼ିବା ପରେ ତରଭା ସମେତ ସୁବର୍ଣ୍ଣପୁର ଜିଲ୍ଲାରେ ଜୋରଦାର ଚର୍ଚ୍ଚା ଚାଲିଛି । ଏହି ପୋଷ୍ଟର କିଏ ଲଗାଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ । ତରଭା ବ୍ଳକ ଓ ଏନଏସି ଜନସାଧାରଣଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖାଇଥିବା ଅଭିଯୋଗରେ ଏହି ଦାବି କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏନେଇ ତରଭା ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି । ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ଥିବା ଏବଂ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନିରଞ୍ଜନ ପୂଜାରୀଙ୍କୁ ନେଇ ଏଭଳି ପୋଷ୍ଟର ଲାଗିବା ତରଭା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଷ୍ଟରରେ ଉଠାଯାଇଥିବା ଜମି ସମ୍ପର୍କିତ ଅଭିଯୋଗର ସତ୍ୟତା ରହିଛି କି ନାହିଁ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଲୋକେ କହୁଛନ୍ତି । ସେପଟେ ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ।