
ବରଗଡ଼, (ମୁନ୍ନାସାହୁ) : ଆସନ୍ତା ଓଡ଼ିଶା ବନ୍ଦକୁ ସଫଳ କରିବା ନେଇ ବରଗଡ଼ରେ ଇଣ୍ଡିଆ ଗଠବନ୍ଧନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ହୋଟେଲ ନିକି ରେସିଡେନ୍ସିରେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶୁଭେନ୍ଦୁ କୁମାର ସାହୁଙ୍କ ସଭାପତିତ୍ୱରେ ଏହି ସମ୍ମିଳନୀ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଓ କର୍ମକର୍ତ୍ତାମାନେ ଯୋଗଦେଇ ବନ୍ଦର ଉଦ୍ଦେଶ୍ୟ ଏବଂ ଦାବି ସମ୍ପର୍କରେ ସୂଚନା ଦେଇଥିଲେ । ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ଅଭିଯୋଗକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଏମ୍ଏମ୍ଡିଆର୍-୨୦୨୬ ବିଲ୍ ପ୍ରତ୍ୟାହାର ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଭଳି ଦାବି ନେଇ ଇଣ୍ଡିଆ ଗଠବନ୍ଧନ ପକ୍ଷରୁ ବିକ୍ଷୋଭ କରାଯିବ ବୋଲି କୁହାଯାଇଛି । ବରଗଡ଼ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବାକୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନବଜାର, ଶିକ୍ଷାନୁଷ୍ଠାନ, ଯାନବାହନ ଚଳାଚଳ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ହୋଟେଲ, କଳକାରଖାନା ଏବଂ ପେଟ୍ରୋଲ ପମ୍ପ ବନ୍ଦ ରହିବାକୁ ଆହ୍ୱାନ ଦିଆଯାଇଛି । ତେବେ ଡାକ୍ତରଖାନା, ଆମ୍ବୁଲାନ୍ସ, ମେଡିକାଲ ସେବା ଏବଂ ପରୀକ୍ଷା ଭଳି ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ବରଗଡ଼ ଜିଲ୍ଲାବାସୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଇଣ୍ଡିଆ ଗଠବନ୍ଧନ ପକ୍ଷରୁ ଆହ୍ୱାନ କରାଯାଇଛି ।