
ବେଆଇନ ଅଳିଆ ପକାଇବାକୁ ବିରୋଧ, ବଲାଙ୍ଗିରରେ ରାଜରାସ୍ତା ଅବରୋଧ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ବେଆଇନ ଭାବେ ଅଳିଆ ଆବର୍ଜନା ପକାଯାଉଥିବା ଅଭିଯୋଗକୁ ନେଇ ତୀବ୍ର ପ୍ରତିବାଦ । ଟିଟିଲାଗଡ଼ ରାସ୍ତା ବିଜାଖମନ ଠାରେ ମୁକ୍ତି ସାମାଜିକ ସଂଗଠନ ପକ୍ଷରୁ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ କରାଯାଇଛି । ସଂଗଠନର ଅଭିଯୋଗ ଅନୁସାରେ, ବିଜାଖମନ ଅଞ୍ଚଳରେ ବେଆଇନ ଭାବେ ଅଳିଆ ଆବର୍ଜନା ପକାଯାଉଥିବାରୁ ପରିବେଶ ପ୍ରଦୂଷଣ ସହ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ ଆନ୍ଦୋଳନକାରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ରାସ୍ତା ଅବରୋଧ ଯୋଗୁଁ ଟିଟିଲାଗଡ଼ ରାସ୍ତାରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ବଲାଙ୍ଗିର ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲା । ତେବେ ଅଳିଆ ଆବର୍ଜନା ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛି ମୁକ୍ତି ସାମାଜିକ ସଂଗଠନ । ଏହି ଦାବି ନେଇ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ କି ନାହିଁ, ତାହା ଉପରେ ନଜର ।