
ଭୁବନେଶ୍ୱର : ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ କାବୁ କରିବା ବେଳେ ପୁଲିସର ଗୁଳିମାଡ଼ । ୪ ଦିନ ଧରି ଫେରାର ଥିବା ଅଭିଯୁକ୍ତ ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ଶ୍ରୀଧର ପଣ୍ଡା ଓରଫ ସନ୍ତୋଷକୁ ଅନ୍ଧାରୁଆ ଜଙ୍ଗଲରୁ କାବୁ କରିଛି ସ୍ପେସାଲ ସ୍କ୍ୱାଡ୍ ଓ ନୂଆପଲ୍ଲୀ ଥାନା ପୁଲିସ । ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ରାଜଧାନୀର ବିଭିନ୍ନ ବସ୍ତିରେ ଲୁଚି ରହୁଥିଲା । ତାକୁ ଧରିବା ପାଇଁ ପୁଲିସ ଟିମ୍ ତଲାସି ଜାରି ରଖିଥିଲା । ଶେଷରେ ଅନ୍ଧାରୁଆ ଜଙ୍ଗଲରେ ତାର ଠିକଣା ମିଳିଥିଲା । ଗିରଫ ସମୟରେ ଜଣେ ଏସ୍ଆଇଙ୍କୁ ପେଚକସ୍ରେ ଆକ୍ରମଣ କରି ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିଥିବା ପୁଲିସ କହିଛି । ଏହାପରେ ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ଚଳାଇଥିଲା । ଗୁଳି ଅଭିଯୁକ୍ତର ଗୋଡ଼ରେ ବାଜିବାରୁ ତାକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ନିକଟରୁ ଏକ ଚୋରା ବାଇକ୍, ନକଲି ବନ୍ଧୁକ ଓ ମୋବାଇଲ ଫୋନ୍ ଜବତ ହୋଇଛି । ସୁସ୍ଥ ହେବା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ଡା. ସର୍ବଣା ବିବେକ୍ ଏମ୍ ସୂଚନା ଦେଇଛନ୍ତି ।