jayashree

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ କବି ବିଧୁଭୂଷଣ ଗୁରୁଙ୍କ ଜୟନ୍ତୀ ପାଳିତ :
ବିଧୁସ୍ମୃତି ଉନ୍ମୋଚିତ

  • କବି ବିଧୁଭୂଷଣ ଗୁରୁ ପରିପୂର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ : ପ୍ରଫେସର ମଧୁସୂଦନ ପତି
  • ପ୍ରତାପ କୁମାର ଦାଶଙ୍କ ଇଂରାଜୀ ପୁସ୍ତକ ‘ମୋଡର୍ଣ୍ଣ ଇଂଲିଶ ଗ୍ରାମାର ଏଣ୍ଡ ଉସେଜ’ ଉନ୍ମୋଚିତ
  • ଗାଳ୍ପିକା ମଂଜୁବାଳା ପଣ୍ଡାଙ୍କୁ ବିଧୁଭୂଷଣ ଗୁରୁ ସ୍ମୃତି ସମ୍ମାନ ଓ ଡ. ଗୋବର୍ଦ୍ଧନ ନାୟକଙ୍କୁ ଶିବପ୍ରସାଦ ପାଣ୍ଡିଆ ସ୍ମୃତି ସମ୍ମାନ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ବିଧୁଭୂଷଣ ଗୁରୁ ସ୍ମୃତି ପରିଷଦ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ କବି ବିଧୁଭୂଷଣ ଗୁରୁଙ୍କର ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଡା. ଭକ୍ତପ୍ରସାଦ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ମଧୁସୂଦନ ପତି ଓ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଚେୟାରମେନ ଡକ୍ଟର ପ୍ରତାପ କୁମାର ଦାଶ ବିଶେଷ ଅତିଥିରୂପେ ଯୋଗଦେଇଥିବାବେଳେ ଡକ୍ଟର ପ୍ରେମଚାନ୍ଦ ମହାନ୍ତି ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ. ସୁଶାନ୍ତକୁମାର ପଣ୍ଡା ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ କବି ରାଜୀବଲୋଚନ ଆଚାର୍ଯ୍ୟ ସଂଯୋଜନା କରିଥିବାବେଳେ ପରିଷଦର ସଂପାଦକ ଜୟକୁମାର ଆଚାର୍ଯ୍ୟ ବିବରଣୀ ପାଠ କରିଥିଲେ । ପ୍ରଫେସର ପତି ତାଙ୍କ ଅଭିଭାଷଣରେ କହିଲେ ଯେ, ବିଧୁ ଗୁରୁ ପରିପୂର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ଜଣେ ମଣିଷ ଏକାଧାରରେ କବି, ଶିକ୍ଷକ, କଣ୍ଠଶିଳ୍ପୀ, ନାଟ୍ୟକାର, ରାଜନେତା ଓ ସମାଜସେବୀ ଭଳି ଗୁଣର ଅଧିକାରୀ ହେବା ବିରଳ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ବିଧୁଭୂଷଣ ଜୟନ୍ତୀ ହେଉଥିବାରୁ ପ୍ରଫେସର ପତି ଖୁସି ପ୍ରକଟ କରି କହିଲେ ସାହିତ୍ୟ ଆଧ୍ୟାତ୍ମିକତାର ଏକ ସୋପାନ । ଯେଉଁମାନେ ସାହିତ୍ୟ ପଢ଼ନ୍ତି ସେମାନେ ଭାଗ୍ୟବାନ । ବିଶ୍ୱଚେତନା ଓ ବିଶ୍ୱପ୍ରତି ଦାୟିତ୍ୱବୋଧ ନ ଥିଲେ ବିଶ୍ୱବିଦ୍ୟାଳୟ ନାମକରଣର ଯଥାର୍ଥତା ନ ଥାଏ । ଏଠାରେ ବିଧୁବାବୁ ଭଳି ମହାପୁରୁଷଙ୍କ ଜୟନ୍ତୀ ପାଳିତ ହେବା ଏକ ଶୁଭ ଲକ୍ଷଣ । ପିଜି କାଉନସିଲ ଚେୟାରମେନ ପ୍ରଫେସର ପ୍ରତାପ କୁମାର ଦାଶ କହିଲେ ବିଧୁବାବୁ ବିରଳ ପ୍ରତିଭାର ଅଧିକାରୀ । ବିଧୁବବାବୁଙ୍କ ସମେତ ଏ ଅଂଚଳର ବିଶିଷ୍ଟ ସାହିତ୍ୟିକଙ୍କ ଲେଖା ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ ହେଲେ ଛାତ୍ରଛାତ୍ରୀ ଉପକୃତ ହେବେ । ନିଜର ଭବିଷ୍ୟତ ପାଇଁ ଛାତ୍ରଛାତ୍ରୀ ନିଜେ ଦାୟୀ ବୋଲି କହିବା ସହିତ ବିଧୁବାବୁଙ୍କ ଭଳି ମହାପୁରୁଷଙ୍କଦ୍ୱାରା ଅନୁପ୍ରାଣିତ ହେବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଡ. ପ୍ରେମଚାନ୍ଦ ମହାନ୍ତି ବିଧୁବାବୁଙ୍କୁ ସ୍ୱର୍ଗର ଜଣେ ଅଭିଶପ୍ତ ଗନ୍ଧର୍ବ ବୋଲି ବର୍ଣ୍ଣନା କରିବା ସହିତ ଓଡ଼ିଶାରେ ତାଙ୍କର ଜନ୍ମ ଓଡ଼ିଶାର ସାହିତ୍ୟ ସଂସ୍କୃତି ପ୍ରତି ଏକ ବରଦାନ ବୋଲି ବର୍ଣ୍ଣନା କରିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ. ସୁଶାନ୍ତ କୁମାର ପଣ୍ଡା ବିଧୁସାହିତ୍ୟର ସାରଗର୍ଭକ ଆଲୋଚନା କରିବା ସହିତ କହିଲେ ଯେ, ବିଧୁବାବୁଙ୍କ କବିତାରେ ସବୁଜବାଦୀ, ପ୍ରଗତିବାଦୀ ଚେତନା ସହିତ ପ୍ରଣୟ ଚେତନା ପରିପୂର୍ଣ୍ଣ ହୋଇରହିଛି । ଓଡ଼ିଆ ସାହିତ୍ୟ ଜଗତର ସେ ଜଣେ ଉଜ୍ଜ୍ୱଳ ନକ୍ଷତ୍ର ବୋଲି ସେ ବର୍ଣ୍ଣନା କରିଥିଲେ । ଡା. ଭକ୍ତପ୍ରସାଦ ଗୁରୁ ବିଧୁବାବୁ ଛନ୍ଦମୟ କବିତା ରଚନା କରିବା ପଛରେ ମାୟାଧର ମାନସିଂହ, ନଜରୁଲ ଇସଲାମ ଓ ଭକ୍ତି କବିତା ରଚନା କରିବା କ୍ଷେତ୍ରରେ ପିତା ଗୌରଚରଣ ଗୁରୁଙ୍କ ପ୍ରେରଣା ଥିଲା ବୋଲି ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୦୨୬ ବର୍ଷ ପାଇଁ ଗାଳ୍ପିକା ମଂଜୁବାଳା ପଣ୍ଡାଙ୍କୁ ବିଧୁଭୂଷଣ ଗୁରୁ ସ୍ମୃତି ସମ୍ମାନ ଓ ଡ. ଗୋବର୍ଦ୍ଧନ ନାୟକଙ୍କୁ ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆ ସ୍ମୃତି ସମ୍ମାନ ପ୍ରଦାନ କରାଯିବା ସହିତ ବିଧୁଭୂଷଣ ଗୁରୁ ସ୍ମୃତି ପରିଷଦର ସ୍ମରଣିକା ପୁସ୍ତକ ‘ବିଧୁସ୍ମୃତି’ ଓ ପ୍ରଫେସର ପ୍ରତାପ କୁମାର ଦାଶଙ୍କର ରଚିତ ଇଂରାଜୀ ପୁସ୍ତକ ‘Modern English Grammer and Usage : A comprehensive Activity based Guide’କୁ ମଂଚାସୀନ ଅତିଥିମାନେ ଲୋକାର୍ପଣ କରିଥିଲେ । ଗବେଷକ ଶୁଭ୍ରାଂଶୁ ବେହେରା ଓ ଛାତ୍ରୀ ମନୀଷା ନାଏକ ମାନପତ୍ର ପାଠ କରିଥିବାବଳେ ପରିଷଦର ସଦସ୍ୟା ତପସ୍ୱିନୀ ପଶାୟତ, ନିର୍ମାଲ୍ୟ ସ୍ୱାଇଁ, ସନ୍ଧ୍ୟାରାଣୀ ତ୍ରିପାଠୀ, ଗବେଷକ ସୋମ ମିଶ୍ର, ଛାତ୍ର ଚିରଂଜୀବୀ ପ୍ରଧାନ, ଛାତ୍ରୀ ମାମୁନୀ ଗଡ଼ତ୍ୟା ଓ ମଂଜୁ ସାହୁ ବିଧୁବାବୁଙ୍କ ରଚିତ କବିତା ଆବୃତ୍ତି କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଛାତ୍ରୀ ଲୋପାମୁଦ୍ରା, ସୁନୀତା କାଲସାଏ, ଧନିଷ୍ଠା, ଅଙ୍କିତା ସାହୁ, ଦିବ୍ୟା ପଟେଲ, ଲିଲିମା ନାଏକ, ଅରୁନ୍ଧତୀ ପୁଟା, ତୃପ୍ତିମୟୀ ବିଶ୍ୱାଳ, ସୁବାସିନୀ ବରିହା, ଜ୍ୟୋତ୍ସ୍ନା ସାହୁ, ନିହାରିକା କର୍ଣ୍ଣ, ଟିକେଶ୍ୱର, ବର୍ଷାରାଣୀ ସାହୁ, ଶୋଭା ମେହେର, ହସିନା ଭୁଏ, ନିକି, ସଂଯୁକ୍ତା ବିଶେଷ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଚନାର ସଭାପତି ସନାତନ ଠାକୁର, ଡ. ଅଭିମନ୍ୟୁ ମିଶ୍ର, ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗାୟତ୍ରୀ ସରାଫ, ସାହିତ୍ୟ ଏକାଡେମୀ ପୂର୍ବତନ ସଦସ୍ୟା ଡା ଜ୍ୟୋତିର୍ମୟୀ ସାହୁ, ବିଜୟଲକ୍ଷ୍ମୀ ଗୁରୁ, ଉପଦେଷ୍ଟା ତୁଳସୀ ଜୈନ, ଗିରିଜାଶଙ୍କର ରଥ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଡ. ପ୍ରହ୍ଲାଦ ଶତପଥୀ, ରାମଗୋପାଳ ଖମାରୀ ଶର୍ମା, ଡ. ଜୟପ୍ରକାଶ ମିଶ୍ର, ଡ. ସୀମାରାଣୀ ରଥ, ହୃଷୀକେଶ ପୁରୋହିତ, ନାଗରିକ କମିଟି ସଂପାଦକ ମଧୁସୂଦନ ନାୟକ, ବୀରେନ୍ଦ୍ର ଝାଙ୍କର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ହେମନ୍ତ ଦାଶ, ରଘୁନାଥ ବାବୁ, ମଦନମୋହନ ରଥ, ସଚିଦାନନ୍ଦ ପ୍ରଧାନ, ରତ୍ନମୟ ତ୍ରିପାଠୀ, ରାମଶଙ୍କର ଶତପଥୀ, ଭବାନୀଶଙ୍କର ଭୋଇ, ଜୟକୃଷ୍ଣ ମିଶ୍ର, କଲ୍ଲୋଳିନୀ ମିଶ୍ର, ଅଞ୍ଜଳି ବାରିକ, ପ୍ରେମରାଜ ପ୍ରଧାନ, ଅଶୋକ ମିଶ୍ର, ଦଇତାରି ଆଚାର୍ଯ୍ୟ, ନିତ୍ୟାନନ୍ଦ ଷଢ଼ଙ୍ଗୀ, କବି ଜ୍ୟୋତିରଂଜନ ମିଶ୍ର, ମୃତ୍ୟୁଂଜୟ ସାହୁ, ଦିଲିୀପ ପୁରୋହିତ, ଡ. ଭବାନୀଶଙ୍କର ପଟେଲ, ସୁନାଧର ବନଛୋର, ସୁନୀଳ ଭୋଇ, ଓଁ ପ୍ରଣବ ନାୟକ, ସନ୍ତୋଷ କୁମାର ନାଏକ, ପ୍ରଶାନ୍ତ ମହାକୁର ଓ କବିରାଜ ଭୋଇ ପ୍ରମୁଖ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Leave A Reply

Your email address will not be published.