jayashree

ବିଭାଗୀୟ ସମସ୍ୟା ସମାଧାନକୁ ନୂଆ ପଦକ୍ଷେପ : କନ୍ଧମାଳରେ ପ୍ରତିନିଧି ମଣ୍ଡଳ ଗଠନ ପାଇଁ ନାମ ତାଲିକା ପ୍ରସ୍ତୁତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଭାଗର ସମସ୍ୟା ଓ ଲୋକଙ୍କ ଅଭିଯୋଗକୁ ଅଧିକ ପ୍ରଭାବଶାଳୀ ଭାବେ ପ୍ରଶାସନ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ପ୍ରତିନିଧି ମଣ୍ଡଳ ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ନିକଟକୁ ସମ୍ପୃକ୍ତ ପ୍ରତିନିଧିମାନଙ୍କ ନାମ ତାଲିକା ପଠାଯାଇଥିବା ଜଣାପଡ଼ିଛି । ଏହି ପ୍ରସ୍ତାବରେ ଶିକ୍ଷା ବିଭାଗ ପାଇଁ ହରେନ୍ଦ୍ର କୁମାର ସାହୁ, ସ୍ୱାସ୍ଥ୍ୟ ବିଭାଗ ପାଇଁ ସୁଭାଷ ଚନ୍ଦ୍ର ସାହୁ, ଆଇନ, ସଂସ୍କୃତି ଓ ପ୍ରାଚୀନ ଐତିହ୍ୟ ପାଇଁ ରୁଦ୍ର ମାଧବ ସାହୁ, କୃଷି ବିଭାଗ ପାଇଁ ବ୍ରଜକିଶୋର ଶ୍ୟାମ ମହାପାତ୍ର, ମତ୍ସ୍ୟ ଓ କୃଷି ଉଦ୍ୟାନ ବିଭାଗ ପାଇଁ ବିଭିନ୍ନ ନାମ ଏବଂ ପରିବେଶ ଓ ଜଙ୍ଗଲ ବିଭାଗ ପାଇଁ ମଧ୍ୟ ପ୍ରତିନିଧିଙ୍କ ନାମ ସୁପାରିସ କରାଯାଇଛି । ପ୍ରସ୍ତାବିତ ପ୍ରତିନିଧି ମାନେ ନିଜ ନିଜ ବିଭାଗ ସମ୍ପର୍କିତ ସମସ୍ୟା, ଅଭିଯୋଗ ଓ ବିକାଶମୂଳକ ପ୍ରସ୍ତାବ ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହାଦ୍ୱାରା ଜିଲ୍ଲାର ବିଭିନ୍ନ ବିଭାଗ ସହ ଜନସାଧାରଣଙ୍କ ଆବଶ୍ୟକତା ଓ ସମସ୍ୟାକୁ ସମନ୍ୱୟ କରିବାରେ ସୁବିଧା ହେବ ବୋଲି ଆଶା କରାଯାଉଛି । ସରକାରୀ ଯୋଜନାର ସଫଳ ରୂପାୟଣ ଏବଂ ସାଧାରଣ ଲୋକଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇବା ପାଇଁ ମଧ୍ୟ ପ୍ରତିନିଧିମାନେ ସହଯୋଗ କରିବେ । ବିଭାଗୀୟ ଅଧିକାରୀଙ୍କ ସହ ସମନ୍ୱୟ ରଖି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଏହି ପ୍ରତିନିଧି ମଣ୍ଡଳ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.