jayashree

ଗଞ୍ଜାମ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଅନସ୍ଲୋ ହାଇସ୍କୁଲ ପ୍ରଥମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା-୨୦୨୬ରେ ଛତ୍ରପୁରସ୍ଥିତ ପିଏମ୍ ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି । ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୧ଟି ଦଳ ଅଂଶଗ୍ରହଣ କରିଥିଲେ । ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ଦଳ “ଜରଗ୍ଦଗ୍ଧକ୍ଟକ୍ସସଦ୍ଭଶ ଙମରବଦ୍ଭଗ୍ଦ” (ସମୁଦ୍ରର ପୁନରୁଦ୍ଧାର) ବିଷୟବସ୍ତୁ ଉପରେ ଏକ ଚିନ୍ତନୋଦ୍ଦୀପକ ବିଜ୍ଞାନ ନାଟକ ପରିବେଷଣ କରିଥିଲେ । ସମୁଦ୍ର ପରିବେଶର ସୁରକ୍ଷା, ସାମୁଦ୍ରିକ ଜୀବବୈଚିତ୍ର୍ୟର ସଂରକ୍ଷଣ ଏବଂ ସମୁଦ୍ରର ପୁନରୁଦ୍ଧାରର ଆବଶ୍ୟକତାକୁ ନାଟକ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା । ଏହି ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଦଳକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିସହ ବିଦ୍ୟାଳୟର ଛାତ୍ରୀ ଜି. ଲିପିକା ତାଙ୍କ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ବ୍ଲେସି ପ୍ରଧାନ ତାଙ୍କ ଉତ୍କୃଷ୍ଟ ନିର୍ଦ୍ଦେଶନା ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଲାଭ କରିଛନ୍ତି । ଏହି ସଫଳତା ଫଳରେ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଦଳ ଆସନ୍ତା ୧୨ ଅକ୍ଟୋବର ୨୦୨୬ରେ ବୌଦ୍ଧ ଜିଲ୍ଲାରେ ହେବାକୁ ଥିବା ଜୋନାଲସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବ । ଏହି ଗୌରବମୟ ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଛାତ୍ରଛାତ୍ରୀ ଏବଂ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଜୋନାଲସ୍ତରୀୟ ପ୍ରତିଯୋଗିତା ପାଇଁ ଶୁଭକାମନା ଜଣାଇଛନ୍ତି । ଏହି ଉଲ୍ଲେଖନୀୟ ସଫଳତା ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ଗୌରବକୁ ଆହୁରି ବଢ଼ାଇବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତନ, ସୃଜନଶୀଳତା ଓ ପ୍ରତିଭା ବିକାଶ ପାଇଁ ବିଦ୍ୟାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି ।

Leave A Reply

Your email address will not be published.