jayashree

କବି ଭୋଜରାଜ ବୁଡେକଙ୍କୁ ‘ଶ୍ରୀ ତମ୍ବାପଟ୍ଟା ସାହିତ୍ୟ ସମ୍ମାନ’

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ସାହିତ୍ୟ ଓ କବିତା କ୍ଷେତ୍ରରେ ସାରସ୍ୱତ ସାଧନା ଏବଂ ସୃଜନଶୀଳ ଅବଦାନ ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁର କବି ଭୋଜରାଜ ବୁଡେକଙ୍କୁ ‘ଶ୍ରୀ ତମ୍ବାପଟ୍ଟା ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଛି । ଭୁବନେଶ୍ୱର ବୁଦ୍ଧ ମନ୍ଦିରର ନୂତନ ସଭାକକ୍ଷରେ ଆୟୋଜିତ ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦର ତୃତୀୟ ରାଜ୍ୟସ୍ତରୀୟ ସାରସ୍ୱତ ସାହିତ୍ୟ ମହୋତ୍ସବରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ମହୋତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସାହିତ୍ୟିକ, କବି, ଲେଖକ ଓ ସାହିତ୍ୟପ୍ରେମୀମାନେ ଯୋଗଦେଇଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ କବିତା କ୍ଷେତ୍ରରେ ଶ୍ରୀ ବୁଡେକଙ୍କ ନିରନ୍ତର ସାଧନା ଓ ସୃଜନଶୀଳ ଅବଦାନକୁ ବିଚାରକରି ଆୟୋଜକ ସଂସଦ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । କବି ଭୋଜରାଜ ବୁଡେକ ଦୀର୍ଘଦିନ ଧରି ସାହିତ୍ୟ ଚର୍ଚ୍ଚା ସହ ଜଡ଼ିତ ରହି ନିଜ ସୃଜନରେ ସାମାଜିକ ଓ ସାଂସ୍କୃତିକ ଭାବଧାରାକୁ ପ୍ରତିଫଳିତ କରିଆସୁଛନ୍ତି । ରାଜ୍ୟର ବିଭିନ୍ନ ସାହିତ୍ୟ ସଂସଦ ସହ ସେ ସଂପୃକ୍ତ ରହିବା ସହ ଅନେକ ସ୍ଥାନରେ ସାହିତ୍ୟିକ ସମ୍ମାନ ଓ ସ୍ୱୀକୃତି ଲାଭ କରିଛନ୍ତି । ମାଣ୍ଡୋସିଲ ଭଳି ଅଞ୍ଚଳରୁ ସାହିତ୍ୟ ସାଧନା କରି ରାଜ୍ୟସ୍ତରୀୟ ସମ୍ମାନ ପାଇବା ଅଞ୍ଚଳବାସୀଙ୍କ ପାଇଁ ଗୌରବର ବିଷୟ ହୋଇଛି । ଏହି ସଫଳତା ପାଇଁ ବିଭିନ୍ନ ମହଲରୁ କବି ଶ୍ରୀ ବୁଡେକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।

Leave A Reply

Your email address will not be published.