jayashree

ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ ନେଇ ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପରିସରରେ ଶୁକ୍ରବାର ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଏସଡିପିଓ ପାଣ୍ଡବ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପାଇକମାଲ ତହସିଲଦାର ସିନ୍ଧୁସୂତା ପାତ୍ର ମଧ୍ୟ ଯୋଗଦେଇଥିଲେ । ବୈଠକରେ ପୂଜା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା, ଟ୍ରାଫିକ୍‌ ନିୟନ୍ତ୍ରଣ ଓ ସୁରକ୍ଷିତ ପରିବେଶ ସୃଷ୍ଟି ଉପରେ ଆଲୋଚନା ହୋଇଥିଲା । ନିଜ ନିଜ ଅଞ୍ଚଳରେ ନିୟମାନୁଯାୟୀ ଦୁର୍ଗାପୂଜା ଆୟୋଜନ କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୂଜା କମିଟିଗୁଡ଼ିକୁ ଆହ୍ୱାନ କରାଯାଇଥିଲା । ଥାନାଧିକାରୀ କୈଳାସ ପ୍ରଧାନ ପୂଜା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । କୌଣସି ଅସୁବିଧା କିମ୍ବା ଆଇନଶୃଙ୍ଖଳା ସମ୍ପର୍କିତ ସମସ୍ୟା ଦେଖାଦେଲେ ନିଜ ହାତକୁ ଆଇନ ନେଇ ନ ଯାଇ ତୁରନ୍ତ ପୁଲିସକୁ ଜଣାଇବାକୁ ସେ ଆହ୍ୱାନ କରିଥିଲେ । ଏସ୍‌ଡିପିଓ ପାଣ୍ଡବ ଶବର ପୂଜାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ପୂଜା କମିଟି, ସ୍ଥାନୀୟ ଲୋକ ଓ ପୁଲିସ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ ବୋଲି କହିଥିଲେ । ତହସିଲଦାର ସିନ୍ଧୁସୂତା ପାତ୍ର ମଧ୍ୟ ପୂଜା ଆୟୋଜନ ସମୟରେ ପ୍ରଶାସନିକ ନିୟମକାନୁନ ମାନିବା ସହ ସମସ୍ତଙ୍କ ସହଯୋଗରେ ଉତ୍ସବ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ବୈଠକରେ ଜର୍ଜଗଡ଼, ପାଇକମାଲ ଓ ମାଣ୍ଡୋସିଲ ଅଞ୍ଚଳର ବିଭିନ୍ନ ଦୁର୍ଗାପୂଜା କମିଟିର ସଦସ୍ୟ, ବୁଦ୍ଧିଜୀବୀ ଓ ଭଦ୍ରବ୍ୟକ୍ତିମାନେ ଯୋଗଦେଇ ନିଜ ନିଜ ଅଞ୍ଚଳର ପୂଜା ଆୟୋଜନ ସମ୍ପର୍କିତ ବିଷୟ ଉପସ୍ଥାପନ କରିଥିଲେ । ଶେଷରେ ଥାନାଧିକାରୀ ଶ୍ରୀ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.