jayashree

ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୂନରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ର ଧରି ରାମଧୂନ୍‌ ଗାଇ ଗ୍ରାମ ପରିକ୍ରମା କରିଥିଲେ । ପରେ ବିଦ୍ୟାଳୟରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ସନାତନ ଅମାୟତ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଚନ୍ଦନ ଅର୍ପଣ କରିବା ସହ ଧୂପ ଓ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସର୍ବଧର୍ମ ପ୍ରାର୍ଥନା ପରିବେଷଣ କରାଯାଇଥିଲା । ସଭାରେ ଛାତ୍ରୀ ମାନସୀ ମଲିକ ଓ ଛାତ୍ର ରାମ ବାଘ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନାଦର୍ଶ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ଅମାୟତ ନିଜ ବକ୍ତବ୍ୟରେ ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ବଡ଼ ହୋଇ ସେମାନଙ୍କ ଭଳି ଦେଶ ଓ ସମାଜର ସେବା କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ସେହିପରି ସହକାରୀ ଶିକ୍ଷକ ଅଲେଖ ରଣା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନ ଓ ଆଦର୍ଶ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ଜୀବନରେ ଜଣେ ଭଲ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ । ଶେଷରେ ସହକାରୀ ଶିକ୍ଷକ ଲକ୍ଷ୍ମୀକାନ୍ତ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ସମ୍ମିତା ପୃଷ୍ଟି ଓ ଅଞ୍ଜଳୀ ମଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯିବା ସହ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.