jayashree

ବଲାଙ୍ଗିର ସଦରମହକୁମା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦରମହକୁମା ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳନ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ, ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରପରିଷଦର ଅଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ସଦରମହକୁମା ସ୍ଥିତ ଗାନ୍ଧୀନଗରପଡା ଠାରେ ଅବସ୍ଥାପିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସଭାର ଆୟୋଜନ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ ଓ ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଉପସ୍ଥିତ ଥିଲେ । ସମ୍ମାନୀୟ ଅତିଥି ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରିଥିଲେ ଏବଂ ସର୍ବଧର୍ମ ପ୍ରାର୍ଥନାରେ ସତ୍ୟବନ୍ତ ବେଦବାକ, ଇମ୍ମାମ ସାହେବ ମହମ୍ମଦ ମୁସାହିତ ରାଜା, ନିମୁଏଲ ନାଗ, ଯଶବୀର ସିଂ ପ୍ରମୁଖ ସର୍ବଧର୍ମ ପାଠ କରିଥିଲେ । ଉପସ୍ଥିତ ସମ୍ମାନିତ ଅତିଥି ଅଭିଭାଷଣରେ କହିଥିଲେ, ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ କେବଳ ଉତ୍ସବରେ ସୀମିତ ନରଖି, ଦୈନନ୍ଦିନ ଜୀବନରେ ତାଙ୍କର ମୂଲ୍ୟବୋଧକୁ ପ୍ରୟୋଗ କରି ସୁସମାଜ ଗଠନ କରିବା । ତାଙ୍କର ନୀତି ଶିକ୍ଷା ବିଶ୍ୱବ୍ୟାପୀ ଲୋକମାନଙ୍କୁ ପ୍ରେରଣା ଦେଇଚାଲିଛି । ସେଇ ନୀତି ଶିକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ ହୋଇ ଭଲ ମଣିଷ ହେବାକୁ ଅତିଥିବୃନ୍ଦ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କିସ୍ ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ବାପୁଜୀଙ୍କ ପ୍ରିୟ ଭଜନ ପରିବେଷଣ କରିଥିଲେ । ଗାନ୍ଧୀଜୟନ୍ତୀ ଉପଲକ୍ଷେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟସ୍ତରରେ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ଲକ୍ଷ୍ମୀ ସାକିଆ ଏହି କାର୍ଯ୍ୟକ୍ରମର ସଂଯୋଜନା ତଥା ପରିଚାଳନା କରିଥିଲେ । ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଜୟରାମ ମିଶ୍ର, ଡାଃ. ପ୍ରେମଚାନ୍ଦ ମହାନ୍ତି, ସନ୍ଦୀପ କୁମାର କୁଅଁର, କ୍ରୀଡ଼ାବାସ ଅଧିକ୍ଷକ ପରାଶର ବାଗ, କିସ୍‌ର ପ୍ରଧାନଶିକ୍ଷକ ଆକାଶ କୁମାର ମିଶ୍ର, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପୌରପରିଷଦର କର୍ମଚାରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ବିମ୍ବାଧର ସୁନା, କର୍ମଚାରୀ ଦେବେନ୍ଦ୍ର ବାଗ, କ୍ରୀଡ଼ାବାସର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.