
- ୭୫ କି. ମି. ରେଳ ସଂଯୋଗ ପାଇଁ ଏମ୍ଆଇଡିସିର ଦାବିପତ୍ର
ମ. ରାମପୁର (ପି. କେ. ସାହୁ) : କଳାହାଣ୍ଡି–ବଲାଙ୍ଗିର ସୀମାବର୍ତ୍ତୀ ଆଦିବାସୀ ବହୁଳ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଓ ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ନର୍ଲା ରୋଡ୍ ରେଳ ଷ୍ଟେସନରୁ ଦେଓଗାଁ ରୋଡ୍ ରେଳଷ୍ଟେସନ ପର୍ଯ୍ୟନ୍ତ ପ୍ରାୟ ୭୫ କି. ମି. ନୂତନ ରେଳପଥ ନିର୍ମାଣ ପାଇଁ ଦାବି ହୋଇଛି । ମଦନପୁର ସମନ୍ୱିତ ବିକାଶ ପରିଷଦ (ଏମ୍ଆଇଡିସି) ପକ୍ଷରୁ ଏହି ଦାବି ଉପସ୍ଥାପନ କରାଯାଇଛି । ଏମ୍ଆଇଡିସି ସଭାପତି ସୁଦର୍ଶନ ପାଢ଼ୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଛି । ପ୍ରସ୍ତାବିତ ରେଳପଥଟି ନର୍ଲା ରୋଡ୍ରୁ ବାଲିପଡ଼ା, ଶେରଗଡ଼, ମ. ରାମପୁର, ପାଇଜିବାହାଲ ଛକ, ମଦନପୁର, ଗଜାବାହାଲ, ଦେଉଳଗୁଡ଼ି ଓ ତୁଷୁରା ଦେଇ ଦେଓଗାଁ ରୋଡ୍କୁ ସଂଯୋଗ କରିବାକୁ ପ୍ରସ୍ତାବ ରହିଛି । ଅଞ୍ଚଳବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ବ୍ୟବସାୟ ଓ କୃଷିଜାତ ଦ୍ରବ୍ୟ ପରିବହନ ପାଇଁ ମୁଖ୍ୟତଃ ସଡ଼କପଥ ଉପରେ ନିର୍ଭରଶୀଳ ଥିବାରୁ ନୂତନ ରେଳ ସଂଯୋଗ ହେଲେ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଦାବିପତ୍ରରେ ରେଳପଥ ପାଇଁ ସର୍ଭେ, ସମ୍ଭାବ୍ୟତା ଅଧ୍ୟୟନ ଓ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି ସହ ଆବଶ୍ୟକ ସ୍ଥାନରେ ମଧ୍ୟବର୍ତ୍ତୀ ଷ୍ଟେସନ ଚିହ୍ନଟ ପାଇଁ ଅନୁରୋଧ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର, ଯୁଗ୍ମ ସମ୍ପାଦକ ଧର୍ମେନ୍ଦ୍ର ମୁଣ୍ଡଛୀନା, କାର୍ଯ୍ୟକାରୀ ସଦସ୍ୟ ଲୁକେଶ କୁମାର ରଣା ଓ ସୁଶାନ୍ତ ବାରିକ ଏବଂ ପରାମର୍ଶଦାତା ଯୁଧିଷ୍ଠିର ସିଂ ଉପସ୍ଥିତ ଥିଲେ । କଳାହାଣ୍ଡି ଓ ବଲାଙ୍ଗିର ସାଂସଦ ଏବଂ ଉଭୟ ଜିଲ୍ଲାପାଳଙ୍କୁ ମଧ୍ୟ ଦାବିପତ୍ରର ନକଲ ପ୍ରଦାନ କରାଯିବ ବୋଲି ପରିଷଦର ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର କହିଛନ୍ତି ।