
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର କଲେଜ ଛକ କଲ୍ୟାଣ ମଣ୍ଡପଠାରେ ପୌରପରିଷଦର ସଫେଇ କର୍ମଚାରୀଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି । ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡ଼ା ଓ ଶାସ୍ତ୍ରୀନଗର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ମିଳିତ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ସଫେଇ କର୍ମଚାରୀଙ୍କ ମାଗଣା ରକ୍ତ ପରୀକ୍ଷା, ଡାକ୍ତରୀ ପରାମର୍ଶ ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଏଥିରେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ଆଶା କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଯୋଗଦେଇଥିଲେ । ଡାକ୍ତର ନନ୍ଦକିଶୋର ପାଢ଼ୀ, ଶାସ୍ତ୍ରୀନଗର ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ନୀହାର ରଞ୍ଜନ ବହିଦାରଙ୍କ ସମେତ ଭୀମଭୋଇ ମେଡିକାଲ କଲେଜର ଡାକ୍ତର ରୋନିତ କୁମାର ପଣ୍ଡା ଓ ଡାକ୍ତର ରୋଶନ ଜେନା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପିଏମ୍ ରାମାନୁଜ ପଣ୍ଡା ଓ ୟୁଡିଏମ୍ ଅନିଲ କୁମାର ମହାକୁର ଶିବିରର ତଦାରଖ କରିଥିଲେ । ଏହି ଶିବିରରେ ଶତାଧିକ ସଫେଇ କର୍ମଚାରୀ ମାଗଣା ସ୍ୱାସ୍ଥ୍ୟ ସେବା ଓ ପରାମର୍ଶର ସୁବିଧା ପାଇଥିଲେ ।