jayashree

ବିନା ଡାକ୍ତରୀ ପରାମର୍ଶ ବା ପ୍ରେସକ୍ରିପସନରେ ଗର୍ଭପାତ ଅବା ଔଷଧ ବିକ୍ରି କଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିନା ବୈଧ ଡାକ୍ତରୀ ପରାମର୍ଶ ବା ପ୍ରେସକ୍ରିପସନରେ ଗର୍ଭପାତ ପାଇଁ ବ୍ୟବହୃତ ଔଷଧର ବିକ୍ରି ଉପରେ କଡ଼ା ନଜର ରଖିବାକୁ ଗଞ୍ଜାମ ଜିଲ୍ଲାର ସମସ୍ତ ଔଷଧ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୯ ସେପ୍ଟେମ୍ବର ୨୦୨୬ରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିସି ଆଣ୍ଡ ପିଏନ୍‌ଡିଟି ଆଇନ ସମ୍ପର୍କିତ ଜିଲ୍ଲା ପରାମର୍ଶଦାତା କମିଟି ବୈଠକରେ ଏନେଇ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି । ଜିଲ୍ଲାର ବିଭିନ୍ନ ଔଷଧ ଦୋକାନରେ ବୈଧ ଡାକ୍ତରୀ ପ୍ରେସକ୍ରିପସନ୍‌ ବିନା ଗର୍ଭପାତ ପାଇଁ ବ୍ୟବହୃତ ଔଷଧ ଉପଲବ୍ଧ ହେଉଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏଭଳି ଔଷଧର ଅନଧିକୃତ ବ୍ୟବହାର ଫଳରେ ଅସୁରକ୍ଷିତ ଓ ବେଆଇନ ଗର୍ଭପାତ ସହ ମାତୃ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଥିବା ଉଲ୍ଲେଖ କରାଯାଇଥିଲା । ଏଥିସହ ଲିଙ୍ଗ ଚୟନ ଆଧାରିତ ଗର୍ଭପାତ ଭଳି ବେଆଇନ କାର୍ଯ୍ୟକଳାପକୁ ରୋକିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଔଷଧ ନିରୀକ୍ଷକମାନଙ୍କୁ ଜିଲ୍ଲାର ସମସ୍ତ ଔଷଧ ଦୋକାନ ଓ ଫାର୍ମାସୀକୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହ ଗର୍ଭପାତ ପାଇଁ ବ୍ୟବହୃତ ମିଫେପ୍ରିଷ୍ଟୋନ୍‌, ମିସୋପ୍ରୋଷ୍ଟଲ୍‌ ମିଶ୍ରଣ ଏବଂ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଶ୍ରେଣୀର ଔଷଧ ବୈଧ ପ୍ରେସକ୍ରିପସନ୍‌ ବିନା ବିକ୍ରି ନକରିବାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି । ଏଥିପାଇଁ ନିୟମିତ ନିରୀକ୍ଷଣ, ଅଚାନକ ଯାଞ୍ଚ ଏବଂ ଆବଶ୍ୟକ ସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ରହିଛି । ସୂଚନାଯୋଗ୍ୟ ଯେ, ଔଷଧ ଓ ପ୍ରସାଧନ ସାମଗ୍ରୀ ଆଇନ, ୧୯୪୦ ଏବଂ ନିୟମାବଳୀ, ୧୯୪୫ ଅନୁଯାୟୀ ନିର୍ଦ୍ଦିଷ୍ଟ ଶ୍ରେଣୀର ଔଷଧ ବୈଧ ପ୍ରେସକ୍ରିପସନ୍‌ ବିନା ବିକ୍ରି କରାଯାଇପାରିବ ନାହିଁ । ପିସି ଆଣ୍ଡ ପିଏନ୍‌ଡିଟି ଆଇନ, ୧୯୯୪ ଅନୁଯାୟୀ ଲିଙ୍ଗ ଚୟନ ଓ ଲିଙ୍ଗ ଚୟନ ଆଧାରିତ ଗର୍ଭପାତ ଭଳି ବେଆଇନ କାର୍ଯ୍ୟକଳାପ ଦଣ୍ଡନୀୟ ଅପରାଧ ଅଟେ । ଜିଲ୍ଲାର ସମସ୍ତ ଔଷଧ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ପ୍ରାପ୍ତିର ୭ ଦିନ ମଧ୍ୟରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

Leave A Reply

Your email address will not be published.