jayashree

ବିଶ୍ୱବନ୍ଦନୀୟା ମା’ ତାରାତାରିଣୀ ପୀଠରେ ଷୋଡଶ ଦିନାତ୍ମକ ପୂଜା ନେଇ ଟ୍ରଷ୍ଟ ବୋର୍ଡ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱବନ୍ଦନୀୟା ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତାମାସ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ଦିନାତ୍ମକ ପୂଜା ପର୍ବକୁ ସୁଚାରୁ ରୂପେ ସମ୍ପନ୍ନ କରିବା ନେଇ ଟ୍ରଷ୍ଟ ବୋର୍ଡ ପରିଚାଳନା କମିଟିର ବୈଠକ ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଭି. କୀର୍ତ୍ତି ଭାସନ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଷୋଡଶ ଦିନାତ୍ମକ ପୂଜା ସମ୍ଭାର ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା, ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ସହ ସମସ୍ତ ଆବଶ୍ୟକ ବ୍ୟବସ୍ଥାର ସୁପରିଚାଳନା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଭକ୍ତଙ୍କ ସୁବିଧା ପାଇଁ ଯାତାୟାତ ଓ ବସ୍‌ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ, ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମନ୍ଦିରର ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା ସମ୍ପନ୍ନ କରିବା ଓ ଗର୍ଭଗୃହରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଉତ୍ତମମାନର ଘିଅ ଦୀପ ବ୍ୟବହାର ଉପରେ ଆଲୋଚନା ହୋଇଥିଲା । ବୈଠକରେ ମନ୍ଦିର ଜମିଜମା, ନୂତନ ପ୍ରବେଶ ଦ୍ୱାର, ସୁନା ଅଳଙ୍କାରର ବ୍ୟବସ୍ଥିକରଣ, ନୂଆ ପାର୍କିଂ, ଚୈତ୍ର ମେଳାର ଆୟବ୍ୟୟ, ପ୍ରସାଦ ବିକ୍ରିର ସୁପରିଚାଳନା, କର୍ମଚାରୀ ଓ ସେବାୟତମାନଙ୍କ ସୁବିଧା ଏବଂ ସେବାୟତ ପଞ୍ଜୀକରଣ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ପୂଜା ଓ ମେଳା ସମୟରେ ଭକ୍ତଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଖାଦ୍ୟର ମାନ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବିଶେଷକରି ଜନସମାଗମ ସମୟରେ ରଙ୍ଗ ମିଶ୍ରିତ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ଅଭିଯୋଗ ଆସୁଥିବାରୁ ଏଭଳି ଖାଦ୍ୟ ବିକ୍ରିରୁ ବ୍ୟବସାୟୀମାନଙ୍କୁ ନିବୃତ୍ତ ରଖିବା ସହ ଆବଶ୍ୟକ ଯାଞ୍ଚ ଓ ସଚେତନତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରମୋଦ ପଣ୍ଡା, ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଏସ୍‌ଡିଓ ସୁରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.