
ତହଁକ୍ ସାହିତ୍ୟ କୁଟୁମ୍ ପକ୍ଷରୁ କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳିତ : ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ ଓ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ କୋଶଲୀ ଚେୟାର ପ୍ରତିଷ୍ଠା ପାଇଁ ଦାବି
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଶ୍ରମିକ ଭବନ ପରିସରରେ ‘ତହଁକ୍ ସାହିତ୍ୟ କୁଟୁମ୍, ବଲାଙ୍ଗିର’ ଆନୁକୂଲ୍ୟରେ ବିଶିଷ୍ଟ ସାରସ୍ୱତ ସାଧକ, କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତହଁକ ସଂପାଦକ ରାଜେଶ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ‘କୋଶଲୀ ସାହିତ୍ୟ ଆର୍ ଜୁଆନ୍ ପିଢ଼ି’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚକ ଭାବେ ଲେଖକ ପରିଷଦ ସମ୍ପାଦକ ସୁଶାନ୍ତ ବାଗ, ଆଇନଜୀବୀ ନିର୍ମାଲ୍ୟ ସ୍ୱାଇଁ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ବଲାଙ୍ଗିର ଜିଲ୍ଲା ଆବାହକ ମୃତ୍ୟୁଞ୍ଜୟ ସାହୁ, କବୟିତ୍ରୀ ତପସ୍ୱିନୀ ପଶାୟତ ଏବଂ କବି ମିଲନ ପଣ୍ଡା ଯୋଗଦେଇଥିଲେ । ବିଦ୍ୟାଳୟ ପାଠ୍ୟକ୍ରମରେ କୋଶଲୀ ପୁସ୍ତକ ଅନ୍ତର୍ଭୁକ୍ତ କରିବା ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ‘କୋଶଲୀ ଚେୟାର’ ପ୍ରତିଷ୍ଠା କରି ବ୍ୟାପକ ଗବେଷଣା କରାଗଲେ ହିଁ ଭାଷା-ସାହିତ୍ୟର ସୁରକ୍ଷା ଓ ବିକାଶ ସମ୍ଭବ ହୋଇପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ତହଁକ୍ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ସ୍ୱର୍ଗତ ଇନ୍ଦ୍ରମଣି ସାହୁଙ୍କ ଅତୁଳନୀୟ ସାହିତ୍ୟିକ ଅବଦାନ ପାଇଁ ତାଙ୍କୁ ମରଣୋତ୍ତର ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିବାକୁ ଦାବି ଉପସ୍ଥାପନ କରିଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ ଏହି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ସମର୍ଥନ କରିବା ସହ ସରକାରଙ୍କ ନିକଟରେ ଲିଖିତ ଭାବେ ଏହି ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରାରମ୍ଭରେ ପ୍ରସନ୍ନ ଗଡ଼ତିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ କବି ନିତ୍ୟାନନ୍ଦ ଜୁଏଡ୍ ଧନ୍ୟବାଦ ଅର୍ପଣ କରିଥିଲେ ।