
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ସମାଜସେବୀ ତଥା ବରିଷ୍ଠ ବିଜେଡି ନେତା ଏଵଂ ଖୁବ୍ ଲୋକପ୍ରିୟ ସାମାଜିକ ବ୍ୟକ୍ତି ହିମାଂଶୁ ତ୍ରିପାଠୀଙ୍କ ଆଜି ଭୋରରୁ ବିୟୋଗ ଘଟିଛି । ଏହା ଜଣାପଡ଼ିବା ପରେ ଶୋକର ଲହରୀ ଖେଳିଯାଇଛି । ଗତ ଶନିବାର ଦିନ ସେ ବ୍ରେନ ଷ୍ଟ୍ରୋକର ଶିକାର ହୋଇ ବୁର୍ଲା ସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସିତ ହେଉଥିଲେ । ସେ ଜଣେ ଶାନ୍ତ, ସରଳ, ସଚ୍ଚୋଟ ଓ ନିଷ୍କପଟ ମଣିଷ ଭାବେ ପରିଚିତ ଥିବା ବେଳେ ରାଜନୈତିକ ଓ ଅଧ୍ୟାତ୍ମିକ କ୍ଷେତ୍ରରେ ସେ ଉଲୁଣ୍ଡା ଅଞ୍ଚଳର ବହୁ ବିକାଶ କରିଥିଲେ । ଗରିବ ଅସହାୟ ଓ ସଧାରଣ ଲୋକଙ୍କୁ ସେ ସବୁବେଳେ ସହଯୋଗ କରି ଆସୁଥିଲେ । ଶ୍ରୀ ତ୍ରିପାଠୀ ଉଲୁଣ୍ଡା ପଞ୍ଚାୟତର ସରପଞ୍ଚ ଭାବେ ଥରେ ନିର୍ବାଚିତ ହୋଇ ଥିବା ବେଳେ ଦୀର୍ଘ ବର୍ଷ ଧରି ଉଲୁଣ୍ଡା ପଞ୍ଚାୟତ ସମିତି କଲେଜର ପରିଚାଳନା କମିଟିର ସଭାପତି, ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ଓ ବିଜୁ ଜନତା ଦଳ ସଭାପତି ଭାବରେ ଦୀର୍ଘ ବର୍ଷ ଧରି ଶୃଙ୍ଖଳା ଓ ଦକ୍ଷତାର ସହିତ ନିଷ୍କପଟ ତଥା ବିନା ବ୍ୟକ୍ତିଗତ ସ୍ୱାର୍ଥରେ କାର୍ଯ୍ୟ ନିର୍ବାହ କରୁଥିଲେ । ଆଜି ଏହି ଦୁଃଖଦ ଖବର ଆସିବା ପରେ ଉଲୁଣ୍ଡା ବ୍ଲକ ତଥା ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ବୀରମହାରାଜପୁର ପ୍ରାକ୍ତନ ବିଧାୟକ ପଦ୍ମନାଭ ବେହେରା, ବିଜେଡି ନେତା ବିହାରୀ ଲାଲ ମିଶ୍ର, ଗୌର ଚରଣ ପଧାନ ପ୍ରମୁଖଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଗଭୀର ଶୋକ ପ୍ରକାଶ କରିବା ସହ ସ୍ଵର୍ଗୀୟ ତ୍ରିପାଠୀଙ୍କ ଅନ୍ତିମ୍ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଶ୍ରୀ ତ୍ରିପାଠୀଙ୍କ ମର ଶରୀର ଉଲୁଣ୍ଡା ପହଞ୍ଚିବା ପରେ ପ୍ରଥମେ ଉଲୁଣ୍ଡା ନିକଟସ୍ଥ ନିଜ ମାତୃଭୂମି ମାଉଲି ମାଲ ଗାଁ ଓ ପରେ ଉଲୁଣ୍ଡା ସହର ଠାରେ ଏକ ଶୋଭାଯାତ୍ରାରେ ପରିକ୍ରମା କରାଯାଇଥିଲା । ହଜାର ହଜାର ଲୋକ ଶୁଭେଚ୍ଛୁ ଶ୍ରୀ ତ୍ରିପାଠୀଙ୍କ ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶେଷ ବିଦାୟ ଦେଇଥିଲେ । ଉଲୁଣ୍ଡା ଶ୍ମଶାନ ଘାଟରେ ଶ୍ରୀ ତ୍ରିପାଠୀଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ଅମୂଲ୍ୟ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ । ପତ୍ନୀ, ତିନି ଝିଅ ଓ ଜ୍ୱାଇଁ, ପୁଅ ,ଭାଇ, ପୁତୁରା ପରିବାର ଆତ୍ମୀୟ ସ୍ୱଜନ ଶ୍ରୀ ତ୍ରିପାଠୀଙ୍କୁ ଶେଷ ବିଦାୟ ଜଣାଇ ପୂରା ଭାଙ୍ଗି ପଡ଼ିଛନ୍ତି । ଆଜି ହିଂମାଶୁଙ୍କୁ ମାଉଳିମାଲ ଗାଁ ତଥା ଉଲୁଣ୍ଡା ସହର ଝୁରୁଛି ।