jayashree

ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା : ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ : ପ୍ରସାଦ ଓ ପଣା ବଣ୍ଟନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଆଶ୍ୱିନ ମାସର ପ୍ରଥମ ମଙ୍ଗଳବାର ଯାତ୍ରା ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ଅବସରରେ ମା’ ପାଟଖଣ୍ଡା ମନ୍ଦାର ମାଳିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ପ୍ରତ୍ୟୁଷରୁ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କର ପୂଜାର୍ଚ୍ଚନା ଓ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ପରେ ମା’ଙ୍କ ମନୋମୁଗ୍ଧକର ମନ୍ଦାର ମାଳିନୀ ବେଶ ଦର୍ଶନ ପାଇଁ ମନ୍ଦିର ପରିସରରେ ଭକ୍ତଙ୍କ ସମାଗମ ବଢ଼ିଥିଲା । କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ବହୁ ଭକ୍ତ ବାଲିଗୁଡ଼ାରେ ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ । ମା’ଙ୍କ ଦର୍ଶନ ପାଇଁ ଲାଗିଥିବା ଲମ୍ବା ଧାଡ଼ି ମଧ୍ୟରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ । ମନ୍ଦିର ପରିସରରେ ଦିନତମାମ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତମାନଙ୍କୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା । କମିଟିର ସମସ୍ତ ସଦସ୍ୟ ଓ ପୂଜକମାନେ ଉପସ୍ଥିତ ରହି ଯାତ୍ରାର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.