
ପୁନେ : ନୂଆଁଖାଇ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ । ଏହି ନିଆରା କୃଷି ଭିତ୍ତିକ ପର୍ବରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ଓଡ଼ିଶା ନୂତନ ଭାବେ ଅମଳ ଧାନ ନେଇ ଓ ତହିଁରେ ପ୍ରସ୍ତୁତ ଭୋଗକୁ ଇଷ୍ଟଦେବୀଙ୍କ ଠାରେ ଲଗେଇ, ଉକ୍ତ ସଂଘର ସଭାପତି ହେମସାଗର ସାହୁ, ସଚିବ ରାଜନ୍ ନାୟକଙ୍କ ଅଧ୍ୟକ୍ଷତାରେ ନୂଆଁଖାଇ ଭେଟଘାଟ ଉତ୍ସବ ସେପଟେମ୍ବର ମାସ ୨୭ ତାରିଖ ଦିନ PCMC town hall, ଚିକିଲି, ଠାରେ ମନାଇଥିଲେ । ମହାରାଷ୍ଟ୍ର ପୁନେର ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଦ୍ଵାରା ପଞ୍ଜୀକୃତ “ଭେଟଘାଟ କଲ୍ଚରାଲ ଏସୋସିଏସନ୍” ୨୦୦୫ ରୁ ପ୍ରତ୍ୟେକ ବର୍ଷ ଏହା ପାଳନ କରି ଆସୁଛି । ଏହି ବର୍ଷ ନୂଆଁଖାଇ ଭେଟ୍ଘାଟ୍ରେ ପ୍ରାୟ ୬୦୦ରୁ ଅଧିକ ମାନ୍ୟଗଣ୍ୟ, ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ଲୋକ ଠୁଳ ହୋଇଥିଲେ । ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳଥିବା ବେଳେ, ସେହିପରି ସୁସ୍ୱାଦୁ ଖାଦ୍ୟ ଭାତ, ଡାଲି, କରଡ଼ି ଲେଥା, ଆମ୍ବୁଲ ରାଇ ପ୍ରଭୃତି ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ପ୍ରଥମେ ମା’ ସମଲେଇଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏ ବର୍ଷ ପଶ୍ଚିମ ଓଡ଼ିଶାର ପଞ୍ଚବାଦ୍ୟ ଅନୁଷ୍ଠାନ, ସମ୍ବଲପୁରର ଗୀତ ବାଦ୍ୟରେ ଖୁବ୍ ଝୁମିଥିଲେ ଦର୍ଶକ । ସିଙ୍ଗର ଶତୃଘ୍ନ ଲୁହାଙ୍କ ଗୀତରେ ନାଚି ନାଚି ବେଦମ୍ ହେଇଥିଲେ ସମସ୍ତେ । ସ୍ୱର୍ଗତ ବାପି ଡେଭିଡ୍ଙ୍କୁ ମରଣୋତ୍ତର ପୁରସ୍କାର ଦିଆଯାଇଥିଲା । ମଧୁସ୍ମିତା ଓ ପ୍ରତ୍ୟୁଷା ମଞ୍ଚ ପରିଚାଳନ କରିଥିଲେ । ବଲାଙ୍ଗିରର ପ୍ରଖ୍ୟାତ ପାଚିକା ଗୋକୁଳ ମିଶ୍ରଙ୍କ ସୁସ୍ୱାଦୁ ବ୍ୟଞ୍ଜନରେ ଲୋକ ବହୁତ ଖୁସି ହୋଇଥିଲେ । ଏହି ଅବସରରେ ଏକ ବାର୍ଷିକ ପତ୍ରିକା ଉନ୍ମୋଚନ ହୋଇଥିଲା । ଏହି ଉତ୍ସବରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ସମ୍ବଲପୁରୀ ସଂସ୍କୃତି ପ୍ରତି ଭଲପାଇବା ଓ ଏକତାର ପରିଚୟ ଦେଖିବାକୁ ମିଳିଥିଲା । ସମସ୍ତେ ନିଜ ମୂଳ ସଂସ୍କୃତିକୁ ପୁନେରେ ପୁନର୍ଜୀବିତ କରି, ଏକ ସାମୁଦାୟିକ ପରିବେଶ ସୃଷ୍ଟି କରିଥିଲେ । ନୂଆଁଖାଇ ଏହି ପାଳନ କେବଳ ଧାନର ଉତ୍ସବ ନୁହେଁ, ଏହା ପ୍ରବାସୀ ଓଡ଼ିଶାବାସୀଙ୍କୁ ନିଜ ମୂଳ, ନିଜ ମାଟି ଓ ସଂସ୍କୃତି ସହିତ ଯୋଡ଼ିଥାଏ । ପୁନେରେ ଏହି ପର୍ବ ପାଳନ, ସମ୍ବଲପୁରୀ ସଂସ୍କୃତିର ଗୌରବକୁ ଆହୁରି ଉଜ୍ଜ୍ୱଳ କରିଥାଏ । ସମସ୍ତ ସଭ୍ୟମାନେ ପ୍ରମୁଖ ଦାୟିତ୍ଵ ତୁଲେଇଥିଲେ । ଶେଷରେ ଅନୁପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।