jayashree

ପୁନେରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ନୂଆଁଖାଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ, ପ୍ରବାସରେ ଥିବା ଓଡ଼ିଆଙ୍କ ମନରେ ବି ଏହି ପର୍ବର ଉତ୍ସାହ ଦେଖିବାକୁ ମିଳିଛି । ନିଜ ମାଟି, ନିଜ ପରମ୍ପରା ଓ ସମ୍ବଲପୁରୀ ସଂସ୍କୃତିକୁ ମନେ ପକାଇ ପୁନେରେ ଧୁମଧାମରେ ପାଳିତ ହୋଇଛି ନୂଆଁଖାଇ ଭେଟଘାଟ ଉତ୍ସବ । ମହାରାଷ୍ଟ୍ରର ପୁନେ ଚିକିଲିସ୍ଥିତ ପିସିଏମ୍‌ସି ଟାଉନ୍ ହଲ୍‌ରେ ସେପ୍ଟେମ୍ବର ୨୭ ତାରିଖ ରବିବାର ଏହି ଉତ୍ସବ ଆୟୋଜିତ ହୋଇଥିଲା । ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ପଞ୍ଜୀକୃତ ସଂଗଠନ ‘ଭେଟଘାଟ କଲ୍ଚରାଲ ଏସୋସିଏସନ୍’ ପକ୍ଷରୁ ୨୦୦୫ ମସିହାରୁ ପ୍ରତିବର୍ଷ ଏହି ଉତ୍ସବ ପାଳନ କରାଯାଉଛି । ସଂଘର ସଭାପତି ହେମସାଗର ସାହୁ, ସଚିବ ରାଜନ ନାୟକ ଓ କୋଷାଧ୍ୟକ୍ଷ ଅମିତ ମେହେରଙ୍କ ନେତୃତ୍ୱରେ ଆୟୋଜିତ ଏହି ଭେଟଘାଟରେ ୬୦୦ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ଯୋଗଦେଇଥିଲେ । ସମସ୍ତେ ସମ୍ବଲପୁରୀ ପୋଷାକ ପରିଧାନ କରି ନୂଆଁଖାଇର ମାହୋଲକୁ ଆହୁରି ରଙ୍ଗିନ କରିଥିଲେ । ପ୍ରଥମେ ମା’ ସମଲେଇଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ନୂଆ ଅମଳ ଧାନରୁ ପ୍ରସ୍ତୁତ ଭୋଗ ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରାଯିବା ପରେ ସମସ୍ତେ ଏକାଠି ନୂଆଁ ଖାଇଥିଲେ । ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେବା ସହ ଭାଇଚାରାର ବାର୍ତ୍ତା ଦେଇଥିଲେ ପ୍ରବାସୀ ଓଡ଼ିଆ । ଉତ୍ସବରେ ଭାତ, ଡାଲି, କରଡ଼ି ଲେଥା, ଆମ୍ବୁଲ ରାଇ ଭଳି ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନରେ ଜମିଥିଲା ଭୋଜି । ବଲାଙ୍ଗିରର ପ୍ରଖ୍ୟାତ ପାଚିକା ଗୋକୁଳ ମିଶ୍ରଙ୍କ ପ୍ରସ୍ତୁତ ସୁସ୍ୱାଦୁ ବ୍ୟଞ୍ଜନର ମଜା ନେଇଥିଲେ ଉପସ୍ଥିତ ଅତିଥି ଓ ଦର୍ଶକ । ସେହିପରି ପଶ୍ଚିମ ଓଡ଼ିଶାର ପଞ୍ଚବାଦ୍ୟ ଓ ସମ୍ବଲପୁରୀ ଗୀତ-ବାଦ୍ୟରେ ଝୁମିଥିଲେ ଶତାଧିକ ଦର୍ଶକ । ଗାୟକ ଶତ୍ରୁଘନ ଲୁହାଙ୍କ ଗୀତରେ ନାଚି ଉଠିଥିଲା ପୂରା ପରିବେଶ । ମଞ୍ଚ ପରିଚାଳନା କରିଥିଲେ ମଧୁସ୍ମିତା ଓ ପ୍ରତ୍ୟୁଷା । ଏହି ଅବସରରେ ସ୍ୱର୍ଗତ ବାପି ଡେଭିଡଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିସହ ଏକ ବାର୍ଷିକ ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା । ନୂଆଁଖାଇ ଭେଟଘାଟ ମାଧ୍ୟମରେ ପୁନେରେ ଏକାଠି ହୋଇଥିଲେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ । ନିଜ ମାଟିରୁ ଦୂରରେ ରହି ମଧ୍ୟ ନିଜ ଭାଷା, ପରମ୍ପରା ଓ ସଂସ୍କୃତିକୁ ଜୀବନ୍ତ ରଖିବାର ଏକ ସୁନ୍ଦର ଉଦାହରଣ ପାଲଟିଥିଲା ଏହି ଆୟୋଜନ । ଶେଷରେ ଅନୁପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ନୂଆଁଖାଇ କେବଳ ନୂଆ ଧାନ ଖାଇବାର ପର୍ବ ନୁହେଁ, ବରଂ ଏହା ନିଜ ମାଟି, ନିଜ ମୂଳ ଓ ନିଜ ସଂସ୍କୃତି ସହ ଯୋଡ଼ି ରହିବାର ଏକ ଭାବନା । ପୁନେରେ ଆୟୋଜିତ ଏହି ନୂଆଁଖାଇ ଭେଟଘାଟ ସେହି ଭାବନାକୁ ଆହୁରି ମଜବୁତ କରିଛି ।

Leave A Reply

Your email address will not be published.